ଆସନ୍ତାକାଲି ଓଡିଶାରେ ବର୍ଷା ନାହିଁ, ପାଗ ଶୁଖିଲା ରହିବ, ପଶ୍ଚିମବଙ୍ଗରେ ଏବେ ତାଣ୍ଡବ ରଚୁଛି ଅମ୍ଫାନ

Published By : Prameya-News7 Bureau | May 20, 2020 IST

ଭୁବନେଶ୍ଵର ୨୦।୦୫: କରୋନା ସଙ୍କଟ ମଧ୍ୟରେ ବାତ୍ୟା ଅମ୍ଫାନ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ରଚୁଛି। ପାଣିପାଗ ବିଭାଗର ସଠିକ୍ ପୂର୍ବାନୁମାନ ଓ ଏନଡିଆରଏଫର ସତର୍କତା ଯୋଗୁଁ କ୍ଷୟକ୍ଷତିକୁ କମ କରାଯାଇ ପାରିଛି। ଓଡିଶା ଅତିକ୍ରମ କରି ସାରିଥିବା ଅମ୍ପାନ ସୁନ୍ଦରବନରେ ସ୍ଥଳଭାଗ ଛୁଇଁ ସାରିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ କିମି ରହିଛି। ଏହା ଏବେ ଧିରେ ଧିରେ ପଶ୍ଚିମବଙ୍ଗ ରାଜ୍ୟର ଆଭ୍ୟନ୍ତୀଣ ଅଞ୍ଚଳକୁ ପ୍ରବେଶ କରୁଛି। ଯେଉଁ ଯେଉଁ ଅଞ୍ଚଳ ଦେଇ ବାତ୍ୟା ଅମ୍ଫାନ ଅଗ୍ରସର ହେଉଛି ସେଠାରେ ବ୍ୟାପକ କ୍ଷତି ଘଟି ଚାଲିଛି। ଗଛ, ଚାଲଛପର ଘର ସହ ବିଜୁଳି ଖୁଣ୍ଟ  ଭାଙ୍ଗି ପଡୁଛି।

ବାତ୍ୟା ଅମ୍ଫାନ ଯେବେ କୋଲକାତା ନିକଟତର ହେବ ସେହି ସମୟରେ କୋଲକାତା, ହୁଗଳି ଓ ହାଓ୍ଵଡା ଆଦି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୧୧୦ ରୁ ୧୩୫ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।  ଓଡିଆ ତୂଳନାରେ ପଶ୍ଚିମବଙ୍ଗରେ ଅଧିକ କ୍ଷୟକ୍ଷତି ହୋଇପାରେ ବୋଲି କୁହାଯାଉଛି।

{"id":273134,"sizeSlug":"large"}

କାଲି ଓଡିଶାରେ ପାଗ ଶୁଖିଲା ରହିବ

ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଅମ୍ଫାନ ଓଡିଶା ଅତିକ୍ରମ କରିବା ବେଳେ ପାରାଦୀପରେ ୧୦୬ କିମି ବେଗରେ ପବନ ବୋହିଥିଲା। ସେହି ସମୟରେ ବାଲେଶ୍ଵରରେ ପବନର ବେଗ ଘଣ୍ଟା ପ୍ରତି ୯୧ କିମି ରହିଥିଲା। ଚାନ୍ଦବାଲିରେ ପବନର ବେଗ ଘଣ୍ଟା ପ୍ରତି ୭୪ କିମି ଥିଲା। ସନ୍ଧ୍ୟା ବେଳକୁ ବାଲେଶ୍ଵର, ଭଦ୍ରକ, ଜଗତିସଂପୁର, କେନ୍ଦ୍ରାପଡାରେ ପବନର ବେଗ କମି ଯାଇଛି। କାଲି ଓଡିଶାରେ ଆଉ ବର୍ଷା ହେବନି ଏବଂ ପାଗ ଶୁଖିଲା ରହିବ ବୋଲି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆରମ୍ଭ ହେଲା ପୁନରୁଦ୍ଧାର କାମ

ବାତ୍ୟା ପରେ ପ୍ରଭାବିତ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାଗୁଡିକରେ ବିଦ୍ୟୁତ ବିଭାଗ ପକ୍ଷରୁ ପୁନରୁଦ୍ଧାର କାମ ଜାରି ରହିଛି। ଏନଡିଆରଏଫ ଟିମ୍ ଭାଙ୍ଗି ପଡିଥିବା ଗଛ କାଟି ରାସ୍ତା ଅବରୋଧ ହଟାଉଛନ୍ତି। ଯୁଦ୍ଧାକାଳୀନ ଭିତ୍ତିରେ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାମ ଜାରି ରହିଛି ବୋଲି ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ବିଦ୍ୟୁତ୍ ପୁନରୁଦ୍ଧାର କାମରେ ୩୨୭ ଟିମ୍ ନିୟୋଜିତ ଅଛନ୍ତି। ସେସୁ ଓ ନେସ୍କୋ ଜୋନ୍ରେ ଏହି ଟିମ୍‌କୁ ନିୟୋଜିତ କରାଯାଇଛି। ହେଲେ ବାତ୍ୟା ଅମ୍ଫାନରେ ଓଡିଶାରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏହି ଦୁଇ ଜିଲ୍ଲାରେ ଅଧିକ ପୁନରୁଦ୍ଧାର କାମ ହେବ। ପୁରୀ ଓ ଭୁବନେଶ୍ଵରରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି ବୋଲି ଶକ୍ତି ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.