ଆସନ୍ତାକାଲି ବିଜେପୁର ପାଇଁ ନବୀନ ନିବାସରେ ବୈଠକ

Published By : Prameya-News7 Bureau | September 22, 2019 IST

ଭୁବନେଶ୍ବର ୨୨/୯: ବିଜେପୁର ଉପନିର୍ବାଚନ ବିଗୁଲ ବାଜିବା ପରେ ଆରମ୍ଭ ହୋଇଛି କସରତ । ପ୍ରମୁଖ ରାଜନୈତିକ ଦଳ ଏବେଠୁ ରଣନୀତି ପ୍ରସ୍ତୁତ ଆରମ୍ଭ କଲେଣି । ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ପରେ ସେଠାରେ ପୁଣି ଥରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ଆସନ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ । ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।

ଜିଲ୍ଲାସ୍ତରୀୟ କମିଟି ତୃଣମୂଳସ୍ତରରୁ ଆଣିଥିବା ରିପୋର୍ଟ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବେ । ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ  । ଦୁଇ ଦିନ ଭିତରେ ବିଜେଡି ବିଜେପୁର ପ୍ରାର୍ଥୀ ଘୋଷଣା କରିପାରେ । ତେବେ ଲଢେଇ ଜୋରଦାର ହେବ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି । ସେପଟେ ବିଜେପୁର ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ।

ଆଜି ବିଜେପିର କୋର କମିଟି ବୈଠକ ବସିବ । ବିଜେପୁର ପାଇଁ ନାମ ଚୂଡାନ୍ତ କରି କେନ୍ଦ୍ରୀୟ କମିଟିକୁ ପଠାଯିବ । ନିଷ୍ପତ୍ତି ଠିକ୍ ସମୟରେ ଆସିଯିବ ବୋଲି ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତାକୁ ବଖାଣିବା ସହ ଜୋରଦାର ଲଢିବୁ । ବିଜେପି କୌଣସି ରାଜନୈତିକ ଦଳ ସହ ବନ୍ଧୁତ୍ବପୂର୍ଣ ରାଜନୀତି କରିବନି । ବ୍ୟକ୍ତି ବ୍ୟକ୍ତି ଭିତରେ ବନ୍ଧୁତ୍ବ ଥାଇପାରେ, ଦଳ ଭିତରେ ନୁହଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.