ସକାଳ ହେଲେ ଦେବସ୍ନାନ ପୂର୍ଣ୍ଣିମା: ସଜେଇ ହୋଇଛି ସ୍ନାନ ବେଦୀ, ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ

Published By : Prameya-News7 Bureau | June 23, 2021 IST

ପୁରୀ ୨୩।୦୪: ସଜେଇ ହୋଇଛି ସ୍ନାନ ବେଦୀ। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନକୁ। ଚତୁର୍ଦ୍ଧାବିଗ୍ରହ ରତ୍ନବେଦିରୁ ସ୍ନାନ ବେଦୀକୁ ଆସିବେ। କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା।  ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଜି ରାତି ୧୦ ଟାରୁ ୧୪୪ ଧାରା ଲାଗୁ କରାଯିବ। ଭକ୍ତ ମାନେ ବଡଦାଣ୍ଡକୁ ନଆସି ଟିଭିରେ ସିଧା ପ୍ରସାରଣ ମାଧ୍ୟମରେ ସ୍ନାନଯାତ୍ରା ଓ ହାତୀବେଶ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ନିଶାର୍ଦ୍ଧରେ ବାଜି ଉଠିବ ଘଣ୍ଟ ଘଣ୍ଟା କାହାଳି। ରାତିର ଅନ୍ଧକାରରେ କଳା ବଉଦର ଆସ୍ତରଣ ଆଉ ତାରି ଭିତରୁ ମନ୍ଦିର ଭିତରୁ ବାହାରି ଆସିବେ କଳା ସାଆନ୍ତ। ରତ୍ନବେଦିରୁ ଓହ୍ଲାଇ ଆସିବେ ଶ୍ରୀଜୀଉ ।  ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ। ପହଣ୍ଡି ପରେ ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳେ ପ୍ରତ୍ୟକ୍ଷ ସ୍ନାନ କରିବେ। ୧୦୮ ଗରା ଜଳରେ ସ୍ନାନ କରିବେ।  ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ହାତୀବେଶ କରାଯିବ। ଏ ସମସ୍ତ ନୀତି କରିବା ନେଇ ଶ୍ରୀମନ୍ଦିର ମଧ୍ୟକୁ କେବଳ ସୀମିତ ସେବାୟତମାନେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇ ଅଛି। ଆରଟିପିସିଆର ଟେଷ୍ଟ ହୋଇଥିବା ୯୦ପ୍ରତିଶତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କରାଯାଇଥିବା ବେଳେ  ରାତି ଗୋଟାଏରୁ ପହଣ୍ଡି କରାଯିବାକୁ ନିଷ୍ପତ୍ତି ହୋଇଛି।  କଟକଣାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ ସିସିଟିଭି ମାଧ୍ୟମରେ ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ବଡଦାଣ୍ଡର ମାର୍କେଟ ଛକଠାରୁ ଆରମ୍ଭ କରି କାକୁଡିଖାଇ ଛକ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ଲବଣିଖିଆ ଛକ, ଖୁଣ୍ଟିଆ ସାହି, ପାଣ୍ଡ ଜାଗା, ଛପନ ଛକ, ଭୋଗଯାଗା ଓ ଲୋକନାଥ ରୋଡ଼ ଆଦି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଆଜି ରାତି ୧୦ ରୁ ୨୫ ତାରିଖ ରାତି ୨ ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ଚଳିତବର୍ଷ ସ୍ନାନନୀତି ଓ ହାତୀବେଶ ଦର୍ଶନ ସିଧା ପ୍ରସାରଣ ମାଧ୍ୟମରେ ଦେଖିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। 

ବର୍ଷା ସତ୍ତ୍ବେ ତିନିରଥର ତୃତୀୟ ଭୂଇଁ ଉଠିଛି। ଏହାପରେ ତିନିରଥର ପୋଟଳ ଉଠିବ।ବଡ଼ପୋଟଳ ନିର୍ମାଣ କାର୍ଯ୍ୟ କରାଯାଉଛି। ସେପଟେ ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କୁ ପାସ ବଣ୍ଟନ କରାଯାଇଛି।  ମହାପ୍ରଭୁ ରାଘବଦାସ ଓ ଗୋପାଳତୀର୍ଥ ମଠ ଯୋଗାଇଥିବା ଦୁର୍ଲ୍ଲଭ ହାତୀବେଶ ଧାରଣ କରିବେ।

ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଆଜିଠାରୁ ଅଧିବାସ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ  ପଞ୍ଚଉପଚାର ଵିଧିରେ  ମେକାପଙ୍କ ସହାୟତାରେ ଜଳଲାଗି କରାଯିବ। ପରେ ଗଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହାପରେ ସଂଧ୍ୟାରେ ଚାଲିଯିବେ ଅଣସର ପିଣ୍ଡିକୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.