ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟିଂ : ଇ.ଭି.ଏମ୍ ଧରି ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି

Published By : Prameya-News7 Bureau | October 20, 2019 IST

ବରଗଡ଼ ୨୦/୧୦: ଆସନ୍ତାକାଲି  ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ।  ସେଥି ପାଇଁ ଗତକାଲି ସଂଧ୍ୟାରେ ସରିଛି ବିଜେପୁର ଉପନିର୍ବାନଚ ପାଇଁ ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋର ପ୍ରଚାର କରାଯାଇଥିଲା । ନିର୍ବାଚନରେ ଏଥର ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପାଇଁ ୨୮୫ଟି ବୁଥ୍ କରାଯାଇଛି। ଏଥିରୁ ୧୨୯ଟି ସମ୍ବେଦନଶୀଳ ଏବଂ ୬ଟି ମାଓ ପ୍ରବଣ ବୁଥ ରହିଛି।

ଏଥିରୁ ୧୪ଟି ସ୍ଥାନରେ ସିସିଟିଭି ଲଗାଯିବା ସହିତା ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ରହିବେ। ୨୭୫୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀ ରହିବେ। ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହେବେ। ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ. ଲୋହାନୀ କହିଛନ୍ତି ଯେ, ୧୨ ପ୍ରକାରର ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ମତଦାତା ମତଦାନ କରି ପାରିବେ।

ପ୍ରତ୍ୟେକ ବୁଥରେ ଯୋଗାଇ ଦିଆଯାଇଥିବା ଇଭିଏମରେ ତ୍ରୁଟି ନଥିବା ସେ କହିଛନ୍ତି। ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବାରୁ ନେତା ମାନଙ୍କୁ ତୁରନ୍ତ ବିଜେପୁର ବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେଠାରେ ରୁହନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋହାନୀ କହିଛନ୍ତି। ଆସନ୍ତାକାଲି ମତଦାନ ହେବାବେଳେ ୨୪ରେ ଫଳାଫଳ ଘୋଷଣା କରାଯିବ । ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରୀତା ସାହୁ ମଇଦାନରେ ଥିବା ବେଳେ ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ଲଢୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.