ଆସନ୍ତା କାଲି ସକାଳ ୯ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ , ୱେବସାଇଟ ଏବଂ ଏସଏମଏସ ଜରିଆରେ ରେଜଲ୍ଟ ପାଇବେ ପରୀକ୍ଷାର୍ଥୀ
20/05/2019 at 5:32 PM

କଟକ୨୦|୫:ବେଶ କିଛି ଦିନ ଧରି ଯେଉଁ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା ସେଥିରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଆସନ୍ତା କାଲି ସକାଳ ୯ଟାରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଦିନ ୧୧ ଟାରେ ବୋର୍ଡ ଓ୍ବେବସାଇଟ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ । ସାମୁଦ୍ରିକ ବାତ୍ୟା ଫୋନି କାରଣରୁ ରେଜଲ୍ଟ ପ୍ରକାଶନରେ ଏବର୍ଷ ବିଳମ୍ବ ହୋଇଛି ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟାରୁ ବୋର୍ଡ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ www.bseodisha.ac.in, www.bseodisha.nic.in ରେ ଫଳ ଉପଲବ୍ଧ ହେବ । ଯେଉଁଠି ଇଣ୍ଟରନେଟ ସୁବିଧା ନଥିବ ସେଠାରେ ପରୀକ୍ଷାର୍ଥୀ SMS ଜରିଆରେ ଫଳ ଜାଣିପାରିବେ । ମୋବାଇଲରେ OR10 ଲେଖି ରୋଲନମ୍ବର ଲେଖି ୫୬୭୬୭୫୦ କୁ ପଠାଇ ରେଜଲ୍ଟ ଜାଣିପାରିବେ । ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

ଚଳିତ ବର୍ଷ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ୍ ୨୮ ଶହ ୩୦ କେନ୍ଦ୍ରରେ ହୋଇଥିଲା ପରୀକ୍ଷା । ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହୋଇଥିଲା । କେତେକ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସି ଟିଭି । ଏହାସତ୍ବେ ବି ବାରମ୍ବାର ପ୍ରଶ୍ନପତ୍ର ଭାଇରାଲକୁ ନେଇ ଏବର୍ଷ ଚର୍ଚ୍ଚାରେ ଥିଲା ପରୀକ୍ଷା ।

ପରୀକ୍ଷା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୧୯ ଜଣଙ୍କୁ ନିଲମ୍ବିତ କରାଯାଇଛି, ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ମାଲକାନଗିରି ଜିଲ୍ଲାର ୧୦୮ଜଣ ପରୀକ୍ଷାର୍ଥୀ ଯେଉଁ ଅନିଶ୍ଚିତତା ଭିତରେ ଗତି କରୁଥିଲେ ସେମାନଙ୍କର ପରୀକ୍ଷାଫଳ ମଧ୍ୟ ଆସନ୍ତା କାଲି ପ୍ରକାଶ ପାଇବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।