ଆର୍ଯ୍ୟନଙ୍କ ଜାମିନ ରୋକିବାକୁ ପ୍ରସ୍ତୁତ ହେଉଛି NCB, ଏପଟେ ବଲିଉଡ୍‌ ଦୁଇଫାଳ

Published By : Prameya-News7 Bureau | October 10, 2021 IST

ମୁମ୍ୱାଇ, ୧୦/୧୦: ଆସନ୍ତାକାଲି ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ । ତେବେ ତାଙ୍କ ଜାମିନକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଛି NCB । ଗିରଫ ଡ୍ରଗସ୍ ପେଡଲରଙ୍କ ସହ ସାମ୍ନାସାମ୍ନି ବସାଇ ଆର୍ଯ୍ୟନଙ୍କୁ ଜେରା କରିପାରନ୍ତି NCB ଅଧିକାରୀ । କ୍ରୁଜ୍ ଡ୍ରଗସ୍ ମାମଲାରେ ଏଯାଏଁ ୨୦ଜଣଙ୍କୁ ଗିରଫ କରାଗଲାଣି । ଆଜି ଗୁରଗାଓଁରୁ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ କରାଯାଇଛି।

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ପୁଣି ଆଜି ରାତି କାଟିବେ ଆର୍ଥର ରୋଡ୍ ଜେଲ୍‌ରେ । ମୁସ୍କିଲ କମିବାର ନାଁ ନେଉନି । ୬ରାତି NCB କଷ୍ଟଡିରେ କାଟିବା ପରେ ଗତ ଦୁଇ ରାତି ଜେଲର ରୁଟି ଖାଇବାକୁ ପଡିଛି । ଆର୍ଯ୍ୟନଙ୍କ ଓକିଲ ସତୀଶ ମାନଶିନ୍ଦେ ଗତକାଲି ସଂଧ୍ୟାରେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି।  ଆସନ୍ତାକାଲି ଶୁଣାଣି । ତେବେ ଜାମିନ ମିଳିବା କାଠିକର ପାଠ । କାରଣ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିବାକୁ NCB ପ୍ରସ୍ତୁତ ହେଉଛି । ଡ୍ରଗସ୍ ମାମଲାରେ ଜେଲରେ ଥିବା ଡ୍ରଗସ୍ ପେଡଲର୍ ଅଚିତ କୁମାରକୁ ଆର୍ଯ୍ୟନଙ୍କ ସାମ୍ନାରେ ବସାଇ ଜେରା କରିବା ନେଇ ଏନସିବି କୋର୍ଟରେ ଯୁକ୍ତି ରଖିପାରେ । ଆଉ ଯଦି ଏହାକୁ କୋର୍ଟ ଗ୍ରହଣ କରେ ତେବେ ଆର୍ଯ୍ୟନଙ୍କୁ ଆଉ କିଛି ଦିନ ଜେଲ ହାୱା ଖାଇବାକୁ ପଡିପାରେ ।

କ୍ରୁଜ ଡ୍ରଗସ୍ ମାମଲାରେ ଆର୍ଯ୍ୟନଙ୍କ ଡ୍ରାଇଭରକୁ ମାରାଥନ ଜେରା ପରେ ୬ଘଣ୍ଟାର ବଡ ଅପରେସନ୍ କରିଛି NCB । ଗୁରଗାଓଁରୁ ଦ୍ବିତୀୟ ବିଦେଶୀ ନାଗରିକକୁ ଗିରଫ କରାଯାଇଛି । ଏହି ନାଇଜେରିଆ ନାଗରିକଙ୍କ ପାଖରୁ କୋକେନ୍ ଜବତ କରାଯାଇଛି । କୁହାଯାଉଛି କ୍ରୁଜ୍ ଡ୍ରଗସ୍ ମାମଲାରେ ନାଇଜେରିଆ ନାଗରିକ ଓକାରୋ ଓଜାମାଙ୍କର ବଡ଼ ଭୂମିକା ରହିଛି । ତାଙ୍କୁ ଶୀଘ୍ର କୋର୍ଟରେ ହାଜର କରାଯିବ । ଡ୍ରଗସ୍ ମାମଲାରେ ଗିରଫଦାରି ତାଲିକା ଲମ୍ବି ଚାଲିଛି । ନାଇଜେରିଆ ନାଗରିକଙ୍କୁ ମିଶାଇ ଏପର୍ଯ୍ୟନ୍ତ ୨୦ଜଣଙ୍କୁ ଗିରଫ କରାଗଲାଣି ।

୧୪ଦିନିଆ ଜୁଡିସିଆଲ କଷ୍ଟଡିରେ ଅଛନ୍ତି ଆର୍ଯ୍ୟନ । ଏପଟେ କ୍ରୁଜ୍ ଡ୍ରଗସ୍ ମାମଲାରେ ଆଡିସନାଲ ସଲିସିଟର ଜେନେରାଲ ଅନିସ ସିଂ ବଡ ଖୁଲାସା କରିଛନ୍ତି । ଡ୍ରଗସ୍ ଡିଲର୍ ଅଚିତ କୁମାର ଏବଂ ଆର୍ଯ୍ୟନଙ୍କ ହ୍ବାଟସ୍ ଆପ୍ ଚାର୍ଟରୁ ମିଳିଛି ବଡ ସୁରାଗ । ଏଥିରେ ବ୍ୟବହାର ହୋଇଥିବା କୋଡୱାର୍ଡ ଫୁଟବଲ୍କୁ ଡିକୋଡ୍ କରିଛି NCB । ଫୁଟବଲ୍‌ର ଅର୍ଥ ବହୁ ପରିମାଣର ଡ୍ରଗସ୍ ।

ହାଇପ୍ରୋଫାଇଲ ଡ୍ରଗସ୍ ଲିଙ୍କର ପୂରା ଖିଅ ଖୋଜିବାକୁ NCB ତନାଘନା ଚଳାଇଛି । ବଲିଉଡ ସହ ଡ୍ରଗସ୍ ଲିଙ୍କର ଖିଅ ଯୋଡିବାକୁ ଚେଷ୍ଟା କରୁଛି NCB । ଆଉ ଏପଟେ ବଲିଉଡ୍ ଦୁଇ ଭାଗ ହୋଇଯାଇଛି । ଆର୍ଯ୍ୟନଙ୍କ ସମର୍ଥନରେ ହ୍ରିତିକ ରୋଶନଙ୍କ ପରେ ଏବେ ଜୋୟା ଅଖତର, ଜନି ଲିଭର, ରବିନା ଟଣ୍ଡନଙ୍କ ଭଳି ବଲିଉଡ ଅଭିନେତା ବାହାରିଛନ୍ତି । ସେପଟେ ଜାକିଚାନ୍ କିଭଳି ନିଜର ପୁଅର ଗିରଫଦାରି ପରେ କ୍ଷମା ମାଗିଥିଲେ ତାକୁ ନେଇ ପରୋକ୍ଷରେ ଶାହାରୁଖଙ୍କୁ କଟାକ୍ଷ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.