ଜୟ, ବିଜୟ, ନିରଞ୍ଜନ, ଦାମଙ୍କ ସମେତ ବହୁ ହେଭିୱେଟ କଲେ ଆଜି ନାମାଙ୍କନ ଦାଖଲ

Published By : Prameya-News7 Bureau | April 08, 2019 IST

ଭୁବନେଶ୍ବର୮|୪; ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ଶେଷ ହେବ ନାମାଙ୍କନ । ଆଜି କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଯାଜପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ଅନେକ ପ୍ରାର୍ଥୀ । ବିଶାଳ ପଟୁଆରରେ ଦଳବଳ ସହ ଶକ୍ତି ପ୍ରଦର୍ଶନ କରି ବହୁ ହେଭିଓ୍ବେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବାଜା ବାଣ ସହ ଜିନ୍ଦାବାଦ୍ ଧ୍ବନୀରେ କମ୍ପୁଛି ମୈଦାନ । ଆଗରେ, ପଛରେ ଶତାଧିକ କର୍ମୀ ଓ ସମର୍ଥକ । ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ପ୍ରର୍ଥୀ । ଏ ଦୃଶ୍ୟ କେନ୍ଦ୍ରାପଡ଼ା ସହରର ।  ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ଉଠୁଚି ପଡୁଚି କେନ୍ଦ୍ରାପଡ଼ା । ମହାକାଳପଡ଼ା ପାଇଁ ବିଜେପିର ବିଜୟ ମହାପାତ୍ର, ବିଜେଡିର ବେଦ ପ୍ରକାଶ ଅଗ୍ରଓ୍ବାଲ, କଂଗ୍ରେସର ବିଭ୍ରାଂଶୁ ଶେଖର ଲେଙ୍କା, ରାଜନଗରର ପାଇଁ କଂଗ୍ରେସ ପ୍ରର୍ଥୀ ଅଂଶୁମାନ ମହାନ୍ତି, ବିଜେଡିର ଧ୍ରୁବ ସାହୁ, ଆଳିରୁ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନାମାଙ୍କନ କରିଛନ୍ତି । କେନ୍ଦ୍ରାପଡ଼ା ଲୋକସାଭ ପାଇଁ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ, ବିଜେପିର ବୈଜୟନ୍ତ ପଣ୍ଡା ନିଜ ସମର୍ଥକଙ୍କ ଗହଣରେ ବିଶାଳ ପଟୁଆରରେ ଯାଇ ନାମାଙ୍କନ ଭରିଥିଲେ ।

ଏ ଦୃଶ୍ୟ ଜଗତସିଂହପୁରର । ରାଜ୍ୟ ରାଜନୀତିକୁ ଉଠାପକା କରୁଥିବା କିଛି ହେଭିୱେଟ ନାମାଙ୍କନ ପୂର୍ବରୁ ଶକ୍ତିପ୍ରଦର୍ଶନ କରୁଛନ୍ତି । ଆଜି ନାମାଙ୍କନ ଭରିଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଏରସମା ବାଲିକୁଦା ବିଜେପି ପ୍ରାର୍ଥୀ ଦାମୋଦର ରାଉତ, ବିଜେଡିର ତିର୍ତ୍ତୋଲ ପ୍ରାର୍ଥୀ ବିଷ୍ଣୁ ଦାସ, କଂଗ୍ରେସର ପାରାଦୀପ ପ୍ରାର୍ଥୀ  ଅରିନ୍ଦମ ସର୍ଖେଲ, ତାଙ୍କ ବିଜେଡି ପ୍ରତିଦ୍ବନ୍ଦ୍ବୀ ସମ୍ବିତ ରାଉତ, ଜଗତ୍ ସିଂହପୁରର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ବାଳ ଓ ଜଗତ୍ ସିଂପୁରର ବିଜେପି ଲୋକସଭା ପ୍ରାର୍ଥୀ ବିଭୁ ତରାଇ । ସମସ୍ତେ ଶୋଭାଯାତ୍ରାରେ ଆସିଥିବା ବେଳେ ଅଳ୍ପ କିଛି ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଥିଲେ ଡାକ୍ତର ଦାମୋଦର ରାଉତ ।

କଟକରେ ନାମାଙ୍କନ ଦାଖଲ ବେଳେ ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ । ସାଲେପୁରର ବିଜେପି ପ୍ରାର୍ଥୀ ପ୍ରକାଶ ବେହେରା, ମାହାଙ୍ଗା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ସାହୁ, ନିଆଳି ବିଜେଡି ପ୍ରାର୍ଥୀ ପ୍ରମୋଦ ମଲ୍ଲିକ ଓ କଂଗ୍ରେସ ପ୍ରାର୍ଥୀ ମମତା ଭୋଇ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ପୁରୀ ଜିଲ୍ଲା କାକଟପୁର ପାଇଁ ଆଜି ନାମାଙ୍କନ ଭରିଛନ୍ତି ବିଜେଡି ପ୍ରର୍ଥୀ ତୁଷାରକାନ୍ତି ନାୟକ । ଯାଜପୁରର ବିଜେଡି ସାଂସଦ ପ୍ରର୍ଥୀ ଶର୍ମିଷ୍ଠା ସେଠୀ, ବିଝାଂରପୁରରୁ ବିଜେଡି ବିଧାୟିକା ପ୍ରର୍ଥୀ ପ୍ରମିଳା ମଲ୍ଲିକ, ବଡଚଣାରୁ ଅମର ଶତପଥୀ, ଯାଜପୁରରୁ ବିଜେପି ବିଧାୟକ ପ୍ରର୍ଥୀ ଗୌତମ ରାୟ, ବରୀରୁ ବିଜେଡି ପ୍ରର୍ଥୀ ସୁନନ୍ଦା ଦାସ ପ୍ରମୁଖ ନାମାଙ୍କନ ଭରିଛନ୍ତି ।

 ବାରିପଦାରେ ବିଜେଡି ଲୋକସଭା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ବିଜେପିର ବିଶେଶ୍ୱର ଟୁଡୁ, ଜେଏମଏମ ର ଅଞ୍ଜଳୀ ସୋରେନ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଛନ୍ତି। ବିଧାନସଭା ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମ, ମୋରୋଡାରୁ ରାଜକିଶୋର ଦାସ, ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି ଓ ବଡସାହିରୁ ବୃନ୍ଦାବନ ଦାସ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି l ବାଲେଶ୍ଵର ଲୋକସଭା ପାଇଁ ବିଜେପି ପ୍ରର୍ଥୀ ପ୍ରତାପ ଷଢଙ୍ଗୀ, ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବେଜ୍ୟୋତି ପଟ୍ଟନାୟକ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।

ତିନି ପ୍ରମୁଖ ଦଳ ବ୍ୟତିତ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଆଜି ନାମାଙ୍କନ ଭରିଛନ୍ତି । ଚତୁର୍ଥର ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ଶେଷ ହେବ ନାମାଙ୍କନ ।

{"id":101560,"width":596,"height":322}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.