ସାଧାରଣ ଜନତାଙ୍କୁ ଝଟକା: ଟମାଟୋ କିଲୋ ୯୩ ଟଙ୍କା

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯/୧୦ : ପାର୍ବଣ ଋତୁରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ ବଢିଚାଲିଛି। ଗ୍ୟାସ ସିଲିଣ୍ଡର ଓ ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ପରେ ପିଆଜ ଓ ଟମାଟୋ ଦାମ ସାଧାରଣ ଜନତାଙ୍କୁ କନ୍ଦେଇବା ଆରମ୍ଭ କରିଛି। ଗତ କିଛି ଦିନରେ ପିଆଜ ଓ ଟମାଟୋ ଦାମ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ସୋମବାର ଦିନ ଖରାପ ପାଗ ଓ ବଜାରରେ ଟମାଟୋ ଅଭାବ ଯୋଗୁଁ ଟମାଟୋ କିଲୋ ପ୍ରତି ୯୩ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ଟମାଟୋ ଦାମ ଆକାଶଛୁଆଁ।

ଦେଶର ମେଟ୍ରୋ ସହରରେ ଟମାଟୋ କିଲୋ ପ୍ରତି ୫୦ ରୁ ୯୩ ଟଙ୍କା ହୋଇଛି। କୋଲକାତାରେ ଟମାଟୋ କିଲୋ ୯୩ ଟଙ୍କା, ଦିଲ୍ଲୀରେ ୫୯ ଟଙ୍କା, ଚେନ୍ନାଇରେ ୬୦ ଟଙ୍କା ଓ ମୁମ୍ବାଇରେ ୫୩ ଟଙ୍କା ରହିଛି। ତାଛଡା ଦେଶର ପ୍ରାୟ ୫୦ ଟି ସହରରେ ଟମାଟୋ କିଲୋ ୫୦ ଟଙ୍କା ଅଛି।

ଦରବୃଦ୍ଧିର ମୁଖ୍ୟ କାରଣ ଅଦିନିଆ ବର୍ଷା। ଅଦିନିଆ ବର୍ଷା ଯୋଗୁଁ ଟମାଟୋ ଚାଷ କ୍ଷତିଗ୍ରସ୍ତ ହୋଇଛି। ନୂଆ ଟମାଟୋ ଆସିବାକୁ ଆହୁରି ୨-୩ ମାସ ସମୟ ଲାଗିବ। ସେଥିପାଇଁ ଦାମ ବୃଦ୍ଧି ହୋଇଛି। ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଉତ୍ପାଦକ ରାଜ୍ୟ ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି। ଯାହାଫଳରେ ବଜାରରେ ଟମାଟୋ ଦାମ ଆକାଶଛୁଆଁ ହୋଇଯାଇଛି।

ଟମାଟୋ ଚାଷ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ସବୁଠାରୁ ବଡ ଉତ୍ପାଦକ। ଚୀନ ପରେ ଭାରତ ଦ୍ୱିତୀୟ ସବୁଠାରୁ ବଡ ଟମାଟୋ ଉତ୍ପାଦକ ଦେଶ। ଭାରତରେ ପ୍ରାୟ ୭.୮୯ ଲକ୍ଷ ହେକ୍ଟର ଚାଷଜମିରେ ହେକ୍ଟର ପ୍ରତି ପ୍ରାୟ ୨୫ ଟନ ଟମାଟୋ ଚାଷ ହୋଇଥାଏ।

ଟମାଟୋ ଛଡା ଅନ୍ୟ ପନିପରିବା ଦାମ ମଧ୍ୟ ବୃଦ୍ଧି ପାଇଛି। ହୋଲସେଲ ବଜାରରୁ ଖୁଚୁରା ବଜାର ଯାଏଁ ପରିବା ଦାମ ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.