ପରିବା ବଜାରରେ ନିଆଁ : ଟମାଟୋ କିଲୋ ପ୍ରତି ୧୦୦ ଟଙ୍କା, ଚିନ୍ତାରେ ଖାଉଟି
16/07/2020 at 11:24 AM

ନୂଆଦିଲ୍ଲୀ ୧୬/୦୭ : କରୋନା ମହାମାରୀ ଯୋଗୁଁ ଦେଶରେ ନାନା ସଙ୍କଟ ଦେଖାଦେଇଛି | ସାଧାରଣ ଜନତାଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇଛି | ଆର୍ଥିକ ସଙ୍କଟ ଯୋଗୁଁ ଅନେକ ଲୋକଙ୍କ ପାଇଁ ଜୀବନ ଦୁର୍ବିସହ ହୋଇପଡିଲାଣି | ଦୈନନ୍ଦିନ ଖାଦ୍ୟ-ପେୟ ଦାମ ମଧ୍ୟ ବୃଦ୍ଧି ପାଇଛି | ଏପଟେ ପନିପରିବା ଦାମ ମଧ୍ୟ ବୃଦ୍ଧି ପାଇଛି | ପରିବା ବଜାରରେ ନିଆଁ ଲାଗିଛି | ନିତ୍ୟ ବ୍ୟବହାର୍ଯ୍ୟ ଟମାଟୋ କିଲୋ ପ୍ରତି ୮୦ ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି | ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ, ଏହି ଋତୁରେ ଟମାଟୋ ନଷ୍ଟ ହେବାର ଅଧିକ ସମ୍ଭାବନା ଥାଏ | ସେଥିପାଇଁ ଟାମୋଟା ଦାମ ବୃଦ୍ଧି ପାଇଛି | ଏବେ ଫସଲ ସମୟ ହୋଇନଥିବାରୁ ସାଧାରଣତଃ ଜୁଲାଇ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଟମାଟୋ ଦାମ ବଢିଯାଇଥାଏ | ଏପଟେ ବଜାରରେ ଆବଶ୍ୟକ ମୁତାବକ ଟମାଟୋ ମଧ୍ୟ ଉପଲବ୍ଧ ନୁହେଁ | ସଠିକ ପରିମାଣର ଟମାଟୋ ଚାଷ ହେଲେ ଦାମ ସାମାନ୍ୟ ସ୍ଥରକୁ ଆସିବ ବୋଲି ପାଶୱାନ କହିଛନ୍ତି | ମାସେ ପୂର୍ବରୁ ଟମାଟୋ ମୂଲ୍ୟ କିଲୋ ପ୍ରତି ୨୦ ଟଙ୍କା ଥିଲା |

ମୌସୁମୀ ଋତୁରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥାଏ | ଏପଟେ ଲକଡାଉନ ଓ ଡିଜେଲ ଦାମ ବୃଦ୍ଧି ଯୋଗୁଁ ଟ୍ୟାକ୍ସ ମଧ୍ୟ ବଢ଼ାଇ ଦିଆଯାଇଛି | ସେଥିପାଇଁ ଟମାଟୋ ସମେତ ଅନ୍ୟାନ୍ୟ ପନିପରିବା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି |

ହରିୟାଣା ଓ ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ଟମାଟୋ ଚାଷ କ୍ଷତିଗ୍ରସ୍ତ ହୋଇଛି | ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଲକଡାଉନ ଯୋଗୁଁ ଟମାଟୋ ଦାମ ବଢିଯାଇଛି | ଉତ୍ତର ପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ, ପଞ୍ଜାବ, କେରଳ, ଜାମ୍ମୁ କାଶ୍ମିର ଓ ଅରୁଣାଚଳ ପ୍ରଦେଶରେ ଟମାଟୋ ଉତ୍ପାଦନ ହୋଇଥାଏ | ଅପୁର୍ତ୍ତି ବେଳେ ଅଧିକ ଉତ୍ପାଦନ କରୁଥିବା ରାଜ୍ୟ ଉପରେ ନିର୍ଭର କରିବାକୁ ପଡିଥାଏ | ସରକାରୀ ସୂଚନା ଅନୁସାରେ, ଦେଶରେ ବାର୍ଷିକ ପାଖାପାଖି ଏକ କୋଟି ୯୭ ଲକ୍ଷ ଟନ ଟମାଟୋ ଉତ୍ପାଦନ ହୋଇଥାଏ |