ଆଲୋଚନା ପାଇଁ ସରକାର ପ୍ରସ୍ତୁତ, ସଠିକ୍‌ ଯୁକ୍ତି ନେଇ ଆସନ୍ତୁ ଚାଷୀ: ତୋମାର

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଳୀ  ୯/୬: ନୂଆ କୃଷି ଆଇନ୍‌କୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଆସୁଥିବା କୃଷକମାନଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଚାଷୀ ସଠିକ୍‌ ଯୁକ୍ତି ନେଇ ଆସିଲେ ସରକାର ସବୁବେଳେ ଆଲୋଚନା କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି । ସରକାର ଲଗାତାର କୃଷକଙ୍କ ହିତ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ତୋମାର କହିଛନ୍ତି ।

ଏହା ପୂର୍ବରୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ କହିଥିଲେ, କୃଷି ଆଇନ୍‌ ସମେତ ଅନ୍ୟ ପ୍ରସଙ୍ଗରେ ମଧ୍ୟ ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି। ସେପଟେ ଆନ୍ଦୋଳନରତ କୃଷକ ପଛକୁ ହଟିବାକୁ ଅମଙ୍ଗ। ଦୀର୍ଘ ଦିନ ହେଲା କୃଷକମାନେ ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି । କରୋନାର ଦ୍ବିତୀୟ ଲହରରେ ବି ସେମାନେ ଘରକୁ ଫେରିନାହାନ୍ତି ।

ଗତ ସପ୍ତାହରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ କହିଥିଲେ, ସେମାନେ ପଛଘୁଞ୍ଚା ଦେବେ ନାହିଁ। କୃଷକ ଆନ୍ଦୋଳନ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ଏହା ସହ ସେ ଆହୁରି କହିଥିଲେ, ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି। ୩ ବର୍ଷ ମଧ୍ୟରେ ସରକାର ପଦକ୍ଷେପ ଗ୍ରହଣ କରିବେ। ଏହି ସମୟରେ ସରକାର ନିଶ୍ଚିତ ରୂପେ ନୂଆ କୃଷି ଆଇନ୍‌ ପ୍ରତ୍ୟାହାର କରିନେବେ ବୋଲି ଟିକାୟତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.