ପାଣି ସମସ୍ୟା ଦୂର କରିବା ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କଲେ ସରକାର, ଜଳଛତ୍ରକୁ ପାଣି ଯୋଗାଣ ପାଇଁ ପୌରସଂସ୍ଥାକୁ ନିର୍ଦ୍ଦେଶ
16/04/2020 at 10:53 AM

ଭୁବନେଶ୍ୱର,୧୬।୦୪: ପିଇବା ପାଣି ପାଇବାରେ କିଛି ସମସ୍ୟା ହେଉଛି କି? ସହରରେ ରହୁଥିବା ଲୋକ ୧୮୦୦୩୪୫୬୭୮୩ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କରନ୍ତୁ । ଗାଁରେ ରହୁଥିବା ଲୋକେ ୧୯୧୬କୁ ଫୋନ୍ କରିପାରିବେ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକେ ନିଜ ଜଳଯୋଗାଣ ଆବଶ୍ୟକତା ପାଇଁ ଏହି ନମ୍ବରରେ ଫୋନ୍ କରିପାରିବେ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଦିନ ବିଭାଗର ସମୀକ୍ଷା କରିବା ପରିପ୍ରେକ୍ଷୀରେ ଏହି ଦୁଇଟି ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ।

ଜଳଯୋଗାଣ ବ୍ୟବସ୍ଥାର ସୁପରିଚାଳନା ପାଇଁ ବିଭାଗୀୟ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଛି । ପାନୀୟ ଜଳଯୋଗାଣରେ ଯେପରି କୌଣସି ସମସ୍ୟା ନ ହୁଏ ଓ ଖରା ଦିନେ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଜେନା ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ନଳକୂପର ମରାମତି ପାଇଁ ୨୪ ଘଣ୍ଟା ଭିତରେ ସମସ୍ତ ଆନୁଷଙ୍ଗିକ ଉପକରଣ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପମ୍ପହାଉସ୍ରେ ଜେନେରେଟର ପ୍ରସ୍ତୁତ କରି ରଖିବା ଓ ପାଣିପାଇପ୍ରେ ଲିକ୍ ହେଲେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସହରାଞ୍ଚଳରେ ଯୋଗାଣ ହେଉଥିବା ଜଳକୁ ଟ୍ରିଟ୍ମେଣ୍ଟ କରିବା ସହ ପାଣି ଟ୍ୟାଙ୍କର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳଛତ୍ରକୁ ପାଣିଯୋଗାଣ ପାଇଁ ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ, କଲେଜ ଓ ଡାକ୍ତରଖାନାରେ ଥିବା ନଳକୂପର ମରାମତି ସହ ଜଳଯୋଗାଣରେ ଯେଭଳି କୌଣସି ସମସ୍ୟା ନ ହେବ, ସେଥିପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ ଜଳଯୋଗାଣରେ ସମସ୍ୟା ହେଲେ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରିବାକୁ କୁହାଯାଇଛି । ଜରୁରୀ ଥିଲେ ଜିଲ୍ଲାପାଳଙ୍କୁ ତୁରନ୍ତ ଜଣାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । କୌଣସି ସ୍ଥାନରେ ନୂଆ ନଳକୂପ ଓ ପାଣି ଉତ୍ସର ଆବଶ୍ୟକତା ଥିଲେ ଜିଲ୍ଲାପାଳ ତୁରନ୍ତ ପ୍ରସ୍ତାବ ଦେଲେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ପଞ୍ଚାୟତିରାଜ ବିଭାଗ ସଚିବ ଡି.କେ ସିଂଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଉପସ୍ଥିତ ଥିଲେ ।