Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫୋନିରେ ପୂରା ଧ୍ବସ୍ତ ପୁରୀ ଜିଲ୍ଲା : ଟୋଲ୍‌ଗେଟ୍‌ରେ ଜୋରଜବରଦସ୍ତ ଚାଲିଛି ଫି ଆଦାୟ, ଜିଲ୍ଲାପାଳଙ୍କ ଅନୁରୋଧକୁ ବି ବେଖାତିର

8/05/2019 at 3:21 PM

ଭୁବନେଶ୍ବର ୮|୫: ପୁଣି ସାମ୍ନାକୁ ଆସିଛି ପିପିଲି ଟୋଲଗେଟ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦୟ ଓ ମନମାନି କାର୍ଯ୍ୟକଳାପ । ବାତ୍ୟା ଫୋନିରେ ଛାରଖାର ହୋଇଯାଇଛି ପୁରୀ ଜିଲ୍ଲା । ହେଲେ ପୁରୀର ଟୋଲ୍‌ ଗେଟରେ ଚାଲିଛି ଜୁଲମ୍ । ଖୋଦ୍ ଜିଲ୍ଲାପାଳଙ୍କ ଅନୁରୋଧକୁ ବି ଖାତିର କରି ନାହାନ୍ତି ଟୋଲଗେଟ୍ କର୍ତ୍ତୃପକ୍ଷ ।

ଫୋନିରେ ପୂରା ଧ୍ବସ୍ତ ପୁରୀ ଜିଲ୍ଲା । ସବୁଠି ହାହାକାରର ସ୍ବର । ମୌଳିକ ସୁବିଧାରୁ ଲୋକେ ବଞ୍ଚିତ । ଏଣେ ହାତରେ ଆଉ ଟଙ୍କା ବି ନାହିଁ । ଏଭଳି ସ୍ଥିତିରେ ଅନେକଙ୍କ ପରିବାର ପୁରୀ ଛାଡ଼ୁଛନ୍ତି ।  ଆଉ ପୁରୀକୁ ଚାରିଆଡ଼ୁ ସହାୟତା ବି ଯାଉଛି । ତେବେ ପୁରୀର ପ୍ରବେଶ ପଥ ମାନେ ପିପିଲି ଟୋଲ୍ ଗେଟ୍ କର୍ତ୍ତୃପକ୍ଷଙ୍କ ଅମାନବିକତା ଏବେ ଚର୍ଚ୍ଚାକୁ ଆସିଛି । ଏଭଳି ଭୟଙ୍କର ବିପଦ ବେଳରେ ବି ଟୋଲ୍ ଗେଟର ଜୁଲମ ଥମି ନାହିଁ । ଜୋରଜବରଦସ୍ତ ଫି ଆଦାୟ ଚାଲିଛି । ସବୁଠୁ ଯନ୍ତ୍ରଣାଦାୟକ ହେଲା କେବଳ କ୍ୟାସରେ ହିଁ ଟଙ୍କା ନିଆଯାଉଛି । ଆଉ ଏଟିଏମ, ବ୍ୟାଙ୍କ୍ ଅଚଳ ସମୟରେ ପୁରୀରୁ ବାହାରିବାକୁ କ୍ୟାସ୍ ଦେବାକୁ ଅନେକଙ୍କ ପାଖେ ସକ୍ଷମତା ଏବେ ନାହିଁ । ହେଲେ ସେକଥାକୁ ନା ଏନଏଚଏଆଇ ନା ଟୋଲଗେଟ୍ କର୍ତ୍ତୃପକ୍ଷ କାହାରି ପରୱା ନାହିଁ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଫୋନିର ପ୍ରଭାବକୁ ଦେଖି କିଛି ଦିନ ଟୋଲ୍ ଫି ବନ୍ଦ ରଖିବାକୁ ଖୋଦ୍ ପୁରୀ ଜିଲ୍ଲାପାଳ ଅନୁରୋଧ କରିଥିଲେ । ହେଲେ ତାକୁ ବି ଏମାନେ ଖାତିର କଲେ ନାହିଁ । ଏମାନେ ଟୋଲ୍ ଗେଟରେ ଟଙ୍କା ଆଦାୟ ନିଶାରେ ଚୁର ଅଛନ୍ତି। ବାତ୍ୟା ଏମାନଙ୍କୁ ରଥଯାତ୍ରା ଲାଗିଛି। ହଜାର ହଜାର ଲୋକ ପୁରୀ ମୁହାଁ ହେଉଛନ୍ତି ପୁଣି ଆସୁଛନ୍ତି ତେଣୁ ଏହି ସମୟରେ ତଣ୍ଟିଚିପି ଟଙ୍କା ଆଦାୟ କଲେ ଅଧିକ ମୁନାଫା ହେବ। ଟୋଲ ଗେଟରେ  ଗାଡ଼ି ଘଣ୍ଟା ଘଣ୍ଟା ଅଟକି ରହୁଛି।ରୋକଡ଼ା କ୍ୟାସ ନଦେଲେ ଆରମ୍ଭ ହେଉଛି ଜୁଲମ। ଦୁର୍ବ୍ୟବହାର ବଳିଯାଉଛି ।କଥା ହେଉଛି କମ୍ପାନିର ଏ ମନମାନି କଣ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦେଖାଯାଉନି, କଣ ଏନେଇ ପରିବହନ ମନ୍ତ୍ରଣାଳୟ ଏନେଇ ଅବଗତ ନାହିଁ। ଟୋଲ୍ ଗେଟଟି କେନ୍ଦ୍ର ସରକାରଙ୍କ ଅଧୀନରେ, ଏହା ଅର୍ଥ ଜିଲ୍ଲାପାଳଙ୍କ ଅନୁରୋଧ ବି କିଛି ଗୁରୁତ୍ବ ରଖେନି ?

ପିପିଲି ଟୋଲ୍ ଗେଟର ମନମାନିକୁ ନେଇ ଅତୀତରେ ଅନେକ ଅସନ୍ତୋଷ ହୋଇଛି । ଏପିରିକି ରଥାଯାତ୍ରା ସମୟରେ ଟୋଲ୍ ଫି ଆଦାୟ ନ କରିବାକୁ ନିଷ୍ପତ୍ତି ହୋଇ ଥିଲେ ବି ତାକୁ କେବେ ବି ମାନି ନାହିଁ ଏହି ଟୋଲ ଗେଟ୍‌ । ଅନେକ ସମୟରେ ଯାତ୍ରୀଙ୍କୁ ଦୁର୍ବ୍ୟବହାର ଯୋଗୁଁ ଗଣ୍ଡଗୋଳ ବି ହୋଇଛି। ଆଉ ଏବେ ପ୍ରାକୃତିକ ବିପତ୍ତିର ସହାୟତାର ହାତ ବଢାଇବା ବଦଳରେ ଏଭଲି ଜୁଲମ୍ ସବୁ ସୀମା ସରହଦକୁ ଟପି ଯାଇଛି । ଏମାନେ କଣ ସରକାର ଭିତରେ ଆଉ ଏକ ସରକାର କି ? ଏମାନଙ୍କ ଉପରେ କଣ କାହାରି ନିୟନ୍ତ୍ରଣ ସମ୍ଭବ ନୁହେଁ ?

   Related Posts