Tokyo Olympics: ଏ ପର୍ଯ୍ୟନ୍ତ ଟୋକିଓ ପହଞ୍ଚି ପାରି ନାହାନ୍ତି ଭିନେଶ ଫୋଗାଟ୍, ସ୍ଵର୍ଣ୍ଣ ପଦକର ପ୍ରବଳ ଦାବିଦାର

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮।୦୭: କ୍ରୀଡା ମହାକୁମ୍ଭ ଅଲିମ୍ପିକ ଜାରି ରହିଛି। ହେଲେ ଭାରତ ପାଇଁ ସବୁଠୁ ବଡ ପଦକ ଆଶା ମଧ୍ୟରୁ ଜଣେ ଭିନେଶ ଫୋଗାଟ ଏ ପର୍ଯ୍ୟନ୍ତ ଟୋକିଓ ପହଞ୍ଚି ପାରି ନାହାନ୍ତି। ମଙ୍ଗଳବାର ଫୋଗାଟ ଫ୍ରାଙ୍କଫର୍ଟରୁ ଟୋକିଓ ପାଇଁ ଉଡାଣ ଭରି ପାରି ନାହାନ୍ତି। ତାଙ୍କର ୟୁରୋପୀୟ ସଂଘ(ଇୟୁ)ର ଭିସାର ଅବଧି ଗୋଟିଏ ଦିନ ପୂର୍ବରୁ ସମାପ୍ତ ହୋଇ ସାରିଛି। ଅଲିମ୍ପିକ ପୂର୍ବରୁ ହଙ୍ଗେରୀରେ ନିଜର କୋଚ୍ ଓ୍ଵାଲର ଅକୋସଙ୍କ ସହ ପ୍ରଶିକ୍ଷଣ ନେଉଥିବା ଭିନେଶଙ୍କୁ ମଙ୍ଗଳବାର ରାତିରେ ଟୋକିଓ ପହଞ୍ଚିବାର ଥିଲା। ମାତ୍ର ଟୋକିଓ ପାଇଁ ବିମାନ ଚଢିବା ପୂର୍ବରୁ ତାଙ୍କୁ ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି।

ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ସୂତ୍ର ଅନୁଯାୟୀ, ଏହି ମାମଲାର ସମାଧାନ ହୋଇ ସାରିଛି। ବୁଧବାର ସେ ଟୋକିଓ ପହଞ୍ଚିଯିବେ। ଏହା ଏକ ଭୁଲ୍ ଥିଲା ଏବଂ ଜାଣିଶୁଣି ଏମିତି କରାଯାଇନଥିଲା। ଭିନେଶଙ୍କ ଭିସା ୯୦ ଦିନ ପାଇଁ ବୈଧ୍ୟ ଥିଲା। ମାତ୍ର ବୁଡାପେଷ୍ଟରୁ ଫ୍ରାଙ୍କଫର୍ଟ ପହଞ୍ଚିବା ପରେ ଜଣା ପଡିଲା ଯେ, ୯୧ତମ ଦିନ ୟୁରୋପୀୟ ସଂଘ ଅଞ୍ଚଳରେ ଥିଲେ। ସୂତ୍ର ଅନୁଯାୟୀ, ଭାରତୀୟ କ୍ରୀଡା ପ୍ରାଧୀକରଣ ତୁରନ୍ତ ଏହି ମାମଲାକୁ ଗମ୍ଭୀରତାର ସହ ଉଠାଇଥିଲେ। ଏହା ପରେ ଫ୍ରାଙ୍କଫର୍ଟରେ ଭାରତୀୟ ବାଣିଜ୍ୟିକ ଦୂତାବାସ ମାମଲାର ସମାଧାନ ପାଇଁ ବିମାନ ବନ୍ଦର ପହଞ୍ଚିଥିଲେ।

ଭିନେଶଙ୍କୁ ମଙ୍ଗଳବାର ରାତିରେ ଫ୍ରାଙ୍କଫର୍ଟ  ବିମାନ ବନ୍ଦରର ଏକ ହୋଟେଲ୍‌ରେ ରହିବାକୁ ପଡିଛି। ସେ ବିମାନ ବନ୍ଦରରେ ସଦ୍ୟତମ ଆରଟି-ପିସିଆର ଯାଞ୍ଚ ମଧ୍ୟ କରାଇଛନ୍ତି। ଟୋକିଓ ବିମାନ ବନ୍ଦରରେ ତାଙ୍କର ପୁନର୍ବାର କୋଭିଡ୍-୧୯ ଯାଞ୍ଚ କରାଯିବ। ଭିନେଶ ୫୩ କିଲୋଗ୍ରାମ ମହିଳା ବର୍ଗରେ ସ୍ଵର୍ଣ୍ଣ ପଦକର ପ୍ରବଳ ଦାବିଦାର। ଏହି ବର୍ଗରେ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି। ତାଙ୍କର ପ୍ରତିଯୋଗିତା  ଅଗଷ୍ଟ ୫ରୁ ଆରମ୍ଭ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.