କରୋନା କାରଣରୁ ଗୋଟିଏ ବର୍ଷ ଘୁଞ୍ଚିଲା ଟୋକିଓ ଅଲମ୍ପିକ, ୨୦୨୧ରେ ହେବ ଆୟୋଜନ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪।୦୩ :  କରୋନା ଭାଇରସ୍ କାରଣରୁ ଟୋକିଓରେ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ବିଶ୍ଵର କ୍ରୀଡା ମହାକୁମ୍ଭ ଅଲମ୍ପିକକୁ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। କୋଭିଡ୍-୧୯ର ପ୍ରକୋପ କାରଣରୁ ଅଲମ୍ପିକର  ଆୟୋଜନ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଲମ୍ପିକକୁ ନିଜର ଖେଳାଳି ନପଠାଇବାକୁ ନିଷ୍ପତ୍ତି ନେବା ପରେ କ୍ରୀଡାର ଏହି ମହାକୁମ୍ଭକୁ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦେବାକୁ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି(IOC) ନିଷ୍ପତ୍ତି ନେଇଛି।

ଟୋକିଓ ଅଲମ୍ପିକ ଚଳିତ ବର୍ଷ ଜୁଲାଇ ୨୪ ରୁ ଆରମ୍ଭ ହେବାର ଥିଲା। ଏବେ ଏହାର ଆୟୋଜନ ୨୦୨୧ରେ ହେବ। ମାତ୍ର ଆସନ୍ତାବର୍ଷ କେଉଁ ସମୟରେ ଏହାର ଆୟୋଜନ ହେବ ସେ ନେଇ ଅଦ୍ୟାବଧି କୌଣସି ଘୋଷଣା କରାଯାଇ ନାହିଁ। କୋଭିଡ୍-୧୯ କାରଣରୁ ସମଗ୍ର ବିଶ୍ଵରେ ୧୭୦୦୦ରୁ ଅଧିକ ଲୋକଙ୍କ  ପ୍ରାଣହାନୀ ଘଟିସାରିଲାଣି।

{"id":243510,"sizeSlug":"large"}

ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ଯେ, ସେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତିକୁ କ୍ରୀଡାର ଆୟୋଜନ ଏକ ବର୍ଷ ଘୁଞ୍ଚାଇବାକୁ ଅପିଲ୍ କରିଥିଲେ। ଏହା ଉପରେ ଆଇଓସି ନିଜର ସହମତି ପ୍ରକାଶ କରିଥିଲା ଓ କ୍ରୀଡାର ଏହି ମହାକୁମ୍ଭକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା।

ସିଞ୍ଜୋ ଆବେ ଆଇଓସି ସଭାପତି ଥୋମାସ ବାଚ୍‌ଙ୍କ ସହିତ ଆଲୋଚନା ପରେ କହିଛନ୍ତି ଯେ, ମୁଁ ଟୋକିଓ ଅଲମ୍ପିକକୁ ଗୋଟିଏ ବର୍ଷ ପାଇଁ ଘୁଞ୍ଚାଇ ଦେବାକୁ ପ୍ରସ୍ତାବ ଦେଇଥିଲି ଏବଂ ସଭାପତି ଏହା ଉପରେ ନିଜର ସହମତି ପ୍ରକାଶ କରିଛନ୍ତି।

{"id":243511,"sizeSlug":"large"}

ଯେବେ ଆଇଓସି ଅଲମ୍ପିକ କ୍ରୀଡାକୁ ସ୍ଥଗିତ କରିବା ମାମଲାରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଲା ନାହିଁ କାନାଡା ନିଜର ଖେଳାଳି ଟୋକିଓ ଅଲମ୍ପିକରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲା। ଅଷ୍ଟ୍ରେଲିଆ ଅଲମ୍ପିକ କମିଟି ସୋମବାର ନିଜର ଖେଳାଳିଙ୍କୁ ଆଗାମୀ ବର୍ଷ ଅର୍ଥାତ ୨୦୨୧କୁ ଧ୍ୟାନରେ ରଖି ଅଲମ୍ପିକ ପ୍ରସ୍ତୁତି କରିବାକୁ କହିଥିଲା।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ତିନି ଥର ଅଲମ୍ପିକ କ୍ରୀଡା ରଦ୍ଦ ହୋଇ ସାରିଛି। ୧୯୧୬ ବର୍ଲିନ ଅଲମ୍ପିକ, ୧୯୪୦ ଟୋକିଓ ଅଲମ୍ପିକ ଓ ୧୯୪୪ ଲଣ୍ଡନ ଅଲମ୍ପିକକୁ କୌଣସି କାରଣ ପାଇଁ ରଦ୍ଦ କରିବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.