କରୋନା ମାଡ: ସ୍ଥଗିତ ହୋଇପାରେ ଟୋକିଓ ଅଲମ୍ପିକ, ନିଜ ଦଳ ପଠାଇବ ନାହିଁ କାନାଡା

Published By : Prameya-News7 Bureau | March 23, 2020 IST

ଟୋକିଓ ୨୩।୦୩:  ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇ ସାରିଥିବା କରୋନା ଭାଇରସର ପ୍ରକୋପ ଥମିବାର ନାଁ  ନେଉନାହିଁ । ବିଶ୍ୱର ଅର୍ଥ ବ୍ୟବସ୍ଥା ସହ କ୍ରୀଡା ଜଗତ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡିଛି । ଅନେକ କ୍ରୀଡା ଆୟୋଜନ ମଧ୍ୟ ବାତିଲ୍ ହୋଇ ସାରିଛି । ଏବେ ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଇଓସି ଟୋକିଓ ଅଲମ୍ପିକକୁ ସ୍ଥଗିତ କରିବା ନେଇ ଚାରି ସପ୍ତାହ ଭିତରେ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛି। ଅପରପକ୍ଷେ କାନାଡା ସ୍ପଷ୍ଟ କରି ସାରିଛି ଯେ, ସେ ଏହି କ୍ରୀଡାରେ ନିଜ ଦଳକୁ ପଠାଇବ ନାହିଁ। ଆଇଓସି, ବିଶ୍ଵ କ୍ରୀଡାର ଅଧିକାରୀ, ପ୍ରସାରକ ଓ ପ୍ରାୟୋଜକ ବିଚାର ବିମର୍ଶ କରି ଏହା ଉପରେ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

{"id":243064,"sizeSlug":"large"}

ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ପ୍ରଥମ ଥର କହିଛନ୍ତି ଯେ, କରୋନା ଭୂତାଣୁ କାରଣରୁ ଯଦି ଟୋକିଓ ଅଲିମ୍ପିକ କ୍ରୀଡା ପୂର୍ଣ୍ଣ ରୂପେ ଆୟୋଜନ କରିବା ସମ୍ଭବ ନହୁଏ ତେବେ ଅଲିମ୍ପିକ ସ୍ଥଗିତ କରିବାକୁ ପଡିପାରେ । ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସମିତି(ଆଇଓସି) ରବିବାର ଏକ ଜରୁରୀକାଳୀନ ବୈଠକ ପରେ କହିଛି ଯେ, ଆବଶ୍ୟକ ପଡିଲେ ଚଳିତ ବର୍ଷ ଜୁଲାଇ ୨୪ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ଆୟୋଜନକୁ ସ୍ଥଗିତ ରଖିବାକୁ ପଡିପାରେ । ଏହା ସହିତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଥିବା ଆଇଓସି କହିଛି ।

କାନାଡା ଅଲମ୍ପିକ ସମିତି କହିଛି ଯେ, ସେ ନିଜର ଖେଳାଳିଙ୍କୁ ଚଳିତ ବର୍ଷ ଅଲମ୍ପିକକୁ ପଠାଇବ ନାହିଁ। ସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ବର୍ଷ ପାଇଁ ଅଲମ୍ପିକକୁ ଘୁଞ୍ଚାଇ ଦେବାକୁ ପଡିବ। କାନାଡା ନିଜର ବୟାନରେ କହିଛି ଯେ, ଅଲମ୍ପିକ ଉପରେ ନିଷ୍ପତ୍ତି ତୁରନ୍ତ ହେବା ଉଚିତ୍। ଏମିତି ସମୟରେ ଖେଳାଳିଙ୍କ ପାଇଁ ଅଭ୍ୟାସ୍ କରିବା ଅନୁଚିତ୍।

{"id":243068,"sizeSlug":"large"}

ପ୍ରଧାନମନ୍ତ୍ରୀ ଆବେ କହିଛନ୍ତି ରଦ୍ଦ କରିବା କୌଣସି ବିକଳ୍ପ ନୁହଁ ମାତ୍ର କିଛି ସମୟ ବିଳମ୍ବରେ ଆୟୋଜିତ କରି ଅଲମ୍ପିକକୁ ପୂର୍ଣ୍ଣ ଭାବେ କରାଇବା ଏକ ମାତ୍ର ଉପାୟ । ସେ ସଂସଦରେ କହିଛନ୍ତି  ଯଦି କ୍ରୀଡାର ଆୟୋଜନ ମୁସ୍କିଲ ହୁଏ ତେବେ ଆମ ପାଖରେ କ୍ରୀଡା ସ୍ଥଗିତ କରିବା ବ୍ୟତୀତ ଅନ୍ୟ ବିକଳ୍ପ ଆଉ ନାହିଁ ।

ଆବେ କହିଛନ୍ତି ସେ ରବିବାର ସନ୍ଧ୍ୟାରେ ଟୋକିଓ ଅଲମ୍ପିକ କ୍ରୀଡାର ପ୍ରମୁଖ ୟୋଶୀରୋ ମୋରୀଙ୍କୁ ନିଜର ରାୟ ଜଣାଇଥିଲେ । ଏହା ପରେ ଆଇଓସି ଅଧ୍ୟକ୍ଷ ଥୋମାସ ବାଚଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଅଲମ୍ପିକ କ୍ରୀଡାରକୁ ସ୍ଥଗିତ କରିବାକୁ ଆଥଲେଟ୍ ମହାସଂଘ ଓ ରାଷ୍ଟ୍ରୀୟ ସମିତି ପକ୍ଷରୁ ବଢୁଥିବା ଚାପ କାରଣରୁ ଆଇଓସି ରବିବାର ଟୋକିଓ ଅଲମ୍ପିକ ଆୟୋଜନକୁ ନେଇ ୟୁଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛି । ଲମ୍ବା ସମୟ ଧରି ଆଇଓସି ଜୋର୍ ଦେଇ କହି ଆସୁଥିଲା ଯେ ନିର୍ଦ୍ଧାରିତ ସମୟରେ ଅଲିମ୍ପିକ କ୍ରୀଡା ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.