କ୍ରୀଡା ମହାକୁମ୍ଭରେ ଅଭିଯାନ ଆରମ୍ଭ କରିବେ ଦୀପିକା କୁମାରୀ

Published By : Prameya-News7 Bureau | July 23, 2021 IST

ଟୋକିଓ ୨୩/୦୭: ଆଜିଠୁ ବିଶ୍ୱ କ୍ରୀଡା ମହାକୁମ୍ଭ । ଟୋକିଓରେ ଆରମ୍ଭ ହେବାକୁ ଯାଉଛି ୩୨ ତମ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା । ପ୍ରଥମ ଦିନରେ ଭାରତର ତୀରନ୍ଦାଜମାନେ ଆରମ୍ଭ କରିବେ ପ୍ରତିଦ୍ୱନ୍ଦ୍ୱିତା । ମହିଳା ରିକର୍ଭ ବର୍ଗରେ କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷ ବର୍ଗରେ ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ମଧ୍ୟ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି ।

ସମସ୍ତ ଆଜି ଭାରତୀୟ ତୀରନ୍ଦାଜମାନେ ରାଙ୍କିଙ୍ଗ ରାଉଣ୍ଡ୍‌ରେ ଭାଗ ନେବେ । ରାଙ୍କିଙ୍ଗ ରାଉଣ୍ଡ୍‌ରେ ମୋଟ୍‌ ୬୪ଜଣ ତୀରନ୍ଦାଜ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ । ପଏଣ୍ଟ ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଇଛି । ଟୋକିଓ ସେହିପରି ସର୍ବନିମ୍ନ ପଏଣ୍ଟ ହାସଲ କରିଥିବା ପ୍ରତିଯୋଗୀ ୬୪ତମ ସ୍ଥାନରେ ରହିବେ । ରାଙ୍କିଙ୍ଗ ରାଉଣ୍ଡ୍‌ ପରବର୍ତ୍ତୀ ପଦକ ଅଭିଯାନ ପାଇଁ ପଥ ପ୍ରସ୍ତୁତ କରିବ ।

ଉଦାହରଣ ସ୍ୱରୂପ ୧ନଂ ସ୍ଥାନରେ ରହିଥିବା ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ରାଉଣ୍ଡ୍‌ରେ ୬୪ତମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସାମ୍ନା କରିବେ । ସେହିପରି ୨ନଂ ପ୍ରତିଯୋଗୀ ୬୩ନଂ ପ୍ରତିଯୋଗୀଙ୍କୁ, ୩ନଂ ପ୍ରତିଯୋଗୀ ୬୨ନଂ ପ୍ରତିଯୋଗୀଙ୍କୁ ଭେଟିବେ । ୩୨ଜଣ ପ୍ରତିଯୋଗୀ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିବେ । ସେହିପରି ପ୍ରି-କ୍ୱାର୍ଟରକୁ ୧୬, କ୍ୱାର୍ଟରକୁ ୮, ସେମି ଫାଇନାଲ୍‌କୁ ୪ ପ୍ରତିଯୋଗୀ ଉନ୍ନୀତ ହେବେ । ରାଙ୍କିଙ୍ଗ ରାଉଣ୍ଡ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।

ଏହି ରାଉଣ୍ଡ୍‌ରେ ଯଥା ସମ୍ଭବ ଅଧିକ ପଏଣ୍ଟ ହାସଲ କଲେ ପଦକ ଦୌଡରେ ପହଞ୍ଚିବା ସହଜ ହେବ । ଦୀପିକା ଭାରତର ପ୍ରମୁଖ ପଦକ ଦାବିଦାର । ପୂର୍ବରୁ ଲଣ୍ଡନ ଓ ରିଓ ଅଲିମ୍ପିକ୍ସରେ ସେ ସଫଳ ହୋଇପାରି ନଥିଲେ । ବର୍ତ୍ତମାନ ସେ ମାନ୍ୟତା ତାଲିକାର ଶୀର୍ଷରେ ରହିଛନ୍ତି । ସୂଚନା ମୁତାବିକ, ଦୀପିକା କୁମାରୀ ରାଙ୍କିଙ୍ଗ ରାଉଣ୍ଡ୍‌ରେ ୮ ନମ୍ବର ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.