ବିଧାନସଭାରେ ଟୋକନ୍ ତାତି, ଟୋକନ୍ ବ୍ୟବସ୍ଥାରେ ଧାନ କିଣାକୁ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଉଦ୍ବେଗ
27/11/2019 at 1:36 PM

ଭୁବନେଶ୍ବର ୨୭।୧୧: ଧାନ କିଣାକୁ ନେଇ ଗୃହରେ ଉଦବେଗ । ଟୋକନ ବ୍ୟବସ୍ଥାରେ ଧାନ କିଣା ବ୍ୟବସ୍ଥାକୁ ବିରୋଧ କରି ଉଭୟ ଶାସକ ଦଳ ଓ ବିରୋଧୀ ଦଳ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଯେଉଁ ସ୍ଥାନରେ ନେଟ୍ ନାହିଁ ସେଠି କିଭଳି ଟୋକନ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ।

ଏପର୍ଯ୍ୟନ୍ତ ସମ୍ବଲପୁରରେ ୧୦୨ ଧାନ କିଣା କେନ୍ଦ୍ରରୁ ମାତ୍ର ୪୨ଟି କାର୍ଯ୍ୟକ୍ଷମ ହୋଇଛି । ୧୦ ହଜାର ୭୯୦ ଟୋକନ ଇସୁ କରାଯାଇଛି। ସେଥିରୁ ୭ ହଜାର ୪୦୦ ଚାଷୀ ଟୋକନ ପାଇଛନ୍ତି । ତେଣୁ ଟୋକନ ବ୍ୟବସ୍ଥା କେମିତି ଚାଲିଛି ଏହା ହେଉଛି ତାର ଉଦାହରଣ ବୋଲି ବିରୋଧୀ କହିଛନ୍ତି । ତେବେ ମନ୍ତ୍ରୀ ଉତ୍ତରରେ କହିଛନ୍ତି ଟୋକନ ବ୍ୟବସ୍ଥା ଜାରି ରହିବ ।

ଅନ୍ୟପଟେ ରାଜ୍ୟରେ ବନ୍ଦ ଥିବା ଚିନିକଳକୁ ନେଇ ମଧ୍ୟ ଗୃହରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟର ୮ଟି ଚିନିକଳରୁ ମାତ୍ର ୨ଟି ଚାଲୁ ଅବସ୍ଥାରେ ଅଛି । ରାଜ୍ୟରେ ୨.୧୧ ଲକ୍ଷ ମେଟ୍ରିକ୍ ଟନ୍ ଚିନିର ଆବଶ୍ୟକତା ରହିଛି । ଆବଶ୍ୟକତା ଅନୁଯାଇ ଉତ୍ପାଦନ ହେଉ ନଥିବାରୁ ବାହାର ରାଜ୍ୟରୁ ଚିନି ଆମଦାନୀ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଚିନି କିଲୋ ପିଛା ଉତ୍ପାଦନ ଖର୍ଚ୍ଚ ପାଖାପାଖି ୪୮ଟଙ୍କା ପଡୁଥିବା ବେଳେ ରାଜ୍ୟରେ ୩୨ ଟଙ୍କାରେ ବିକ୍ରି ହେଉଛି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଛନ୍ତି ।