ଭଲ ଭାବେ ମନେ ରଖୁ ଚୀନ, ଏହା ୧୯୬୨ ନୁହେଁ ୨୦୨୦ର ଭାରତ: ରବିଶଙ୍କର ପ୍ରସାଦ
10/06/2020 at 6:15 PM

ନୂଆଦିଲ୍ଲୀ ୧୦।୦୬: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଲମ୍ବା ସମୟ ଧରି ଜାରି ଉତ୍ତେନାପୂର୍ଣ୍ଣ ସ୍ଥିତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଚୀନକୁ ମନେ ରଖିବା ଉଚିତ୍ ଯେ, ଏହା ୨୦୨୦ ମସିହା, ୧୯୬୨ ନୁହେଁ। ସେ କହିଛନ୍ତି ଆଜିର ଭାରତର ନେତୃତ୍ଵ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ସାହସିକ ନେତାଙ୍କ ହାତରେ ରହିଛି। ଭାରତ ଉପରକୁ ଆଖି ଉଠାଉଥିବା ଲୋକ ଉରି ଓ ବାଲାକୋଟ୍ରେ ନିଜର ପରିଣାମ ଦେଖି ସାରିଛନ୍ତି।
ରବିଶଙ୍କର ପ୍ରସାଦ ହିମାଚଳ ଜନ ସମ୍ବାଦ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଭାରତ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ବିବାଦର ସମାଧାନ ଚାହୁଁଛି। ମାତ୍ର ଭାରତ ଆଡେ କେହି ବି ଆଖି ଉଠାଇ ଦେଖି ପାରିବେ ନାହିଁ। ଆଜିର ଭାରତ ୨୦୨୦ର ଭାରତ, ୧୯୬୨ର ନୁହେଁ। ଆଜି ଭାରତର ନେତୃତ୍ଵ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଏକ ସାହସିକ ନେତାଙ୍କ ହାତରେ ରହିଛି। କଂଗ୍ରେସ ନେତାଙ୍କ ହାତରେ ନାହିଁ।
ସୂଚନାଯୋଗ୍ୟ, ଭାରତକୁ ୧୯୬୨ ଯୁଦ୍ଧରେ ଭାରତକୁ ଚୀନ ହାତରେ ପରାଜୟ ସାମ୍ନା କରିବାକୁ ପଡିଥିଲା। ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ପୂର୍ବ ଲଦାଖରେ ଦୁଇ ଦେଶର ସେନା ମଧ୍ୟରେ ଜାରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ଭାରତକୁ ୧୯୬୨ର ଯୁଦ୍ଧ ମନେ ପକାଇ ଦେଇଥିଲା। ଦୁଇ ଦେଶ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଉତ୍ତେଜନା କମ କରିବା ଲାଗି ସୈନ୍ୟସ୍ତରେ ଅନେକ ଥର ଆଲୋଚନା ହୋଇ ସାରିଛି। ଜୁନ୍ ୬ରେ ଲେଫ୍ଟନାଣ୍ଟସ୍ତରୀୟ ଆଲୋଚନା ପରେ ଚୀନର ଆଭିମୁଖ୍ୟରେ କିଛି ନରମ ପଡିଛି ତଥାପି ଏବେ ମଧ୍ୟ ସେ ପୁରୁଣା ସ୍ଥିତିକୁ ଫେରିବାକୁ ପ୍ରସ୍ତୁତ ନୁହେଁ।