ଆଜି ବି ପ୍ରବଳ ବର୍ଷା : ବିଭିନ୍ନ ଜିଲ୍ଲାରେ ଝଡ଼ ତୋଫାନ ସହ କୁଆପଥର ବର୍ଷା ଆଶଙ୍କା, ଆସୁଛି ଲଘୁଚାପ

Published By : Prameya-News7 Bureau | April 25, 2020 IST

ଭୁବନେଶ୍ୱର ୨୫।୦୪: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଘଡ଼ଘଡ଼ି ସହ ବଜ୍ରପାତ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଆସନ୍ତା ୪ ଦିନ ପାଇଁ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ । କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଏଥିସହ ସୁନ୍ଦରଗଡ଼, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ଝଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ । ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବାକୁ ଥିଲେ ମଧ୍ୟ ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଅନ୍ୟପଟେ  ଆସନ୍ତା ୨୭ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୮ତାରିଖରେ ଏହା ଲଘୁଚାପ କ୍ଷେତ୍ର ଓ ୨୯ରେ ୱେଲ ମାର୍କ ଲୋ ପ୍ରେସର୍ ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଥମେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରିବ । ଗତିପଥରେ ଏହା ଅଣ୍ଡାମାନର ପଶ୍ଚିମ ଦେଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବା ସହ ପାଖାପାଖି ମେ’ ୪-୫ ଆଡକୁ ମିଆଁମାର-ବାଂଲାଦେଶରେ ଲ୍ୟାଣ୍ଡଫଲ କରିପାରେ ।

ପୁଣେ ସ୍ଥିତ Indian Institute of Tropical Metrology (IITM) , ଓ ଆମେରିକାର Global Forecast System (GFS)ର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ ଭାରତୀୟ ଉପକୂଳ ଆଡକୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡକୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଏହି ସାଇକ୍ଲୋନିକ ସିଷ୍ଟମ, ସମୁଦ୍ରରେ କେତେଦିନ ରହିବ, କେତେ ଘନୀଭୂତ ହେବ, ନିର୍ଦ୍ଦିଷ୍ଟ ଭାବେ କେଉଁଠି ପହଞ୍ଚିବ, ତାହା ଏବେ କହି ହେବ ନାହିଁ। ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ସେମିତି ପଡ଼ିବ ନାହିଁ । ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.