ଆଜି ମୁହାଁମୁହିଁ ହେବେ କୋହଲି ଓ ସାମସନ୍, ଆରସିବିର ବିଜୟ ଧାରାରେ ବ୍ରେକ୍ ଲଗାଇବାକୁ ପ୍ରୟାସ କରିବ ରୟାଲ୍ସ

Published By : Prameya-News7 Bureau | April 22, 2021 IST

ମୁମ୍ବାଇ,୨୨/୦୪: ଆଇପିଏଲ୍‌-୨୦୨୧ର ୧୬ତମ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢି ଯାଇଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୩ଟି ମ୍ୟାଚ୍‌ ଖେଳି ଅପରାଜେୟ ସାବ୍ୟସ୍ତ ହୋଇଛି । ତେଣୁ ବିରାଟ କୋହଲିଙ୍କ ଦଳକୁ ହରାଇବା ଏକ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି ।

ରାଜସ୍ଥାନ ରୟାଲ୍ସ ଦଳ ଇତି ମଧ୍ୟରେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିଛି । ତେଣୁ ଗୁରୁବାର ପୁଣିଥରେ ବିଜୟଧାରାକୁ ଫେରିବା ପାଇଁ ରାଜସ୍ଥାନ ରୟାଲ୍ସ ସବୁ ଶକ୍ତି ଖଟାଇବାକୁ ଯୋଜନା ପ୍ରସ୍ତୁତ କରିଛି ।ଗତ ବର୍ଷ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ଉଭୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟୀ ହୋଇଥିଲା । ଗୁରୁବାର ବିଜୟ ସହ ରାଜସ୍ଥାନ ରୟାଲ୍ସ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ଆହତ ହୋଇ ବେନ ଷ୍ଟୋକ୍ସ ଆଇପିଏଲ୍‌ରୁ ବାଦ ପଡ଼ିବା ପରେ ରୟାଲ୍ସ ଦଳ ଅଧା ଶକ୍ତି ହରାଇଛି । ଏପଟେ ଜୈବ ସୁରକ୍ଷା ବଳୟ ଜନିତ ମାନସିକ ବିଶାଦରୁ ମୁକ୍ତି ପାଇବା ପାଇଁ ଲାଏମ ଲିଭିଙ୍ଗଷ୍ଟୋନ ମଧ୍ୟ ସ୍ୱଦେଶ ଫେରିବାକୁ ମନସ୍ଥ କରିଛନ୍ତି । ଏଭଳି ସ୍ଥଳେ ରାଜସ୍ଥାନ ରୟାଲ୍ସ ଶ୍ରେଷ୍ଠ ଏକାଦଶ ଚୟନ କରିବାରେ ବିଫଳ ହୋଇଛି । ଗୁରୁବାର ଏକ ଉପଯୁକ୍ତ ଏକାଦଶ ଗଠନ କରିବା ରୟାଲ୍‌ ଦଳ ପାଇଁ କଷ୍ଟକର ହେବ ।

ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ନବାଗତ ଫିନ ଆଲେନଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ଏକାଦଶରେ ଦେଖିବାକୁ ମିଳିପାରେ । ଇତି ମଧ୍ୟରେ ତାଙ୍କର କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇଛି ଓ ସେ ଦଳ ସହ ଅଭ୍ୟାସ ଜାରି ରଖିଛନ୍ତି । ଦେବଦତ୍ତ ପାଡ଼ିକଲଙ୍କ ସ୍ଥାନରେ ଆଲେନ୍‌ ଆଜି ଆରମ୍ଭ କରିବେ । ରାଜସ୍ଥାନ ରୟାଲ୍ସ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ବିଫଳ ହୋଇଥିବା ମନନ ଭୋରାଙ୍କ ସ୍ଥାନରେ ଜଶସ୍ୱୀ ଜୈସ୍ୱାଲଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଛି ।

ଗୁରୁବାର ରାଜସ୍ଥାନ ରୟାଲ୍ସ ଏକାଦଶକୁ ଶ୍ରେୟାସ ଗୋପାଳ ଫେରିବା ସମ୍ଭାବନା ରହିଛି । ସେ ଆଇପିଏଲ୍‌ରେ ଏବି ଡି ଭିଲର୍ସଙ୍କୁ ୪ଥର ଓ ବିରାଟ କୋହଲିଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି । ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲର ୟୁଝବେନ୍ଦ୍ର ଚହଲଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଚହଲଙ୍କ ବିପକ୍ଷରେ ସଞ୍ଜୁ ୫ଥର ଆଉଟ୍‌ ହୋଇଛନ୍ତି । ସେହିପରି ଡେଭିଡ୍‌ ମିଲରଙ୍କୁ ଚହଲ ୩ଥର ଆଉଟ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.