ରତ୍ନବେଦୀକୁ ଫେରିବେ ମହାବାହୁ, ନୀଳାଦ୍ରି ବିଜେ ପାଇଁ ପ୍ରସ୍ତୁତି ଶେଷ

Published By : Prameya-News7 Bureau | July 23, 2021 IST

ପୁରୀ,୨୩/୦୭: ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା । ଶୁକ୍ରବାର ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା'ଲକ୍ଷ୍ମୀ ଠାକୁରାଣୀ ।

ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି। ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନାଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ ।

ମାଆ ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ କରାଯିବା ସହ ରୁକ୍ମିଣୀ ବିବାହର ଗଇଁଠାଳ ଫିଟିବ । ଧାର୍ଯ୍ୟ ସମୟ ଅନୁସାରେ ସାଢେ୧ଟାରେ ସନ୍ଧ୍ୟାଧୂପ ନୀତି ସରିବା ପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରଥରେ ଚାରମାଳ ବନ୍ଧାଯିବ । ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ବିଜେ କାହାଳି ବାଜିଲେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ମଧ୍ୟ ବସିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.