ଆଜି ନୀଳାଦ୍ରି ବିଜେ : ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି

Published By : Prameya-News7 Bureau | July 15, 2019 IST

ପୁରୀ ୧୫/୭: ସରିଲା ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଶ୍ରୀମନ୍ଦିର ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ୧୨ ଦିନର ଲୀଳାଖେଳ ଶେଷ ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ । ପୁଣି ଗୋଟି ପହଣ୍ଡିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବା ପରେ ସିଂହଦ୍ବାର କବାଟ ଖୋଲିବ ।

ତେବେ ୧୬ ତାରିଖରେ ଚନ୍ଦ୍ରଗ୍ରହଣ ଥିବାରୁ ଆଜି ସଅଳ ନୀତି ସାରିବାକୁ ନିର୍ଘଣ୍ଟ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ଆଜି ତିନି ରଥରେ ମଙ୍ଗଳ ଆଳତି ପରେ ମଇଲମ ଓ ତଡ଼ପଲାଗି ଓ ପରେ ଅବକାଶ ନୀତି ପରେ ବେଶ ଶେଷ ହେବ। ପରେ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ, ସାଢ଼େ ୮ଟାରେ ମଇଲମ, ସାଢ଼େ ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍ଣ ୧୧ଟାରେ ବେଶଶେଷ, ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟାହ୍ନ ଧୂପ, ପୂର୍ବାହ୍ଣ ୧୧ଟା ୪୫ରୁ ମଧ୍ୟାହ୍ନ ମଇଲମ ଓ ବେଶ, ୧୨ଟା ୧୫ରେ ସଂଧ୍ୟା ଆଳତି, ଅପରାହ୍ଣ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ସଂଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ।

ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ସାଢ଼େ ୩ଟାରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ। ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ମଧ୍ୟରେ ରୁନ୍ଧା ସରିବା ପରେ ଅପରାହ୍ଣ ଗୋଟାଏରେ ଦଇତାପତି ସର୍ବାଙ୍ଗ, ଗୋଟାଏ ୧୦ରେ ଶ୍ରୀମୁଖ ଖଣ୍ଡୁଆ, ରାତି ଗୋଟାଏ ୧୫ରୁ ୨ଟା ୧୫ ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ।

ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀମୁଖ ଖଣ୍ଡୁଆ ମଇଲମ ପରେ ରାତି ୨ଟା ୪୫ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା୧୦ ସୁଦ୍ଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢ଼େ ୩ଟାରେ ମହାସ୍ନାନ ଶେଷ ହେବ। ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତି ପହୁଡ଼ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.