ଆଜିଠୁ ସଂସଦର ମୌସୁମୀ ଅଧିବେଶନ, କୋଭିଡ୍ କଟକଣାରେ ଚାଲିବ ଗୃହକାର୍ଯ୍ୟ

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ, ୧୯|୦୭  : ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୧୯ରୁ ଅଗଷ୍ଟ ୧୩ ଭିତରେ ମୋଟ ୧୯ ଦିନ ଅଧିବେଶନ ହେବ। ଉଭୟ ଲୋକସଭା ଓ ରାଜ୍ୟସଭା ସକାଳ ୧୦ରୁ ସଂଧ୍ୟା ୬ଟା ଯାଏଁ କାର୍ଯ୍ୟ କରିବ। କୋଭିଡ କଟକଣା ମଧ୍ୟରେ ସଦସ୍ୟମାନଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି। ।

ଏହି ଅଧିବେଶନରେ ସରକାର ୩୦ଟି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। ସେପଟେ ବିରୋଧୀ ସରକାରଙ୍କୁ ଘେରିବାକୁ ଅପେକ୍ଷା କରି ରହିଛନ୍ତି । ସରକାରଙ୍କ କୋଭିଡ ପରିଚାଳନା ନୀତିକୁ କଂଗ୍ରେସ ସମାଲୋଚନା କରିଆସିଛି, ସେହିପରି ଦରଦାମ ବୃଦ୍ଧି ବିଶେଷ କରି ତୈଳ ଓ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ କରିବାକୁ ଛକିଛନ୍ତି ବିରୋଧୀ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡାକିଥିବା ଏହି ବୈଠକରେ ୩୩ଟି ରାଜନୈତିକ ଦଳରୁ ୪୦ ଜଣ ନେତା ଯୋଗ ଦେଇଥିଲେ। ଗୃହ ଶାନ୍ତି ଶୃଙ୍ଖଳାର ସହ ଚାଲିବା ପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି। ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସବୁ ଦଳର ପ୍ରତିନିଧି ବିଶେଷ କରି ବିରୋଧୀଙ୍କ ପରାମର୍ଶ ବେଶ୍ ଗୁରୁତ୍ବପୂର୍ଣ୍ଣ।

ସଂସଦରେ ଆଲୋଚନା ସୌହାର୍ଦ୍ଦ୍ୟପୂରଣ ବାତାବରଣ, ଅର୍ଥପୂର୍ଣ୍ଣ ହେବା ଆବଶ୍ୟକ ମନ୍ତ୍ରିମଣ୍ଡଳ ସଂପ୍ରାସରଣ ପରେ ଏହା ପ୍ରଥମ ଅଧିବେଶନ ହେବାକୁ ଯାଉଛି। ଏଥର ଅଧିବେଶନରେ ଓଡ଼ିଶାର କିଛି ପ୍ରମୁଖ ପ୍ରସଙ୍ଗ ଉଠାଇବା ଲାଗି ସଜବାଜ ହେଉଛନ୍ତି ମାନ୍ୟବର ସଦସ୍ୟମାନେ। ଧାନ ପ୍ରସଙ୍ଗ ଉଠାଇବ ବିଜେପି, କେନ୍ଦ୍ର ଅବହେଳା ଓ ଚାଉଳ ସଂଗ୍ରହରେ ଟାଳଟୁଳ ନୀତି କଥା ଉଠାଇବ ବିଜେଡି। କେନ୍ଦ୍ର ରାଜ୍ୟକୁ ପ୍ରୋଭିଜିନାଲ ସବସିଡି ବାବଦରେ ୫ ହଜାର ୧୨୦ କୋଟି ଅର୍ଥ ବାକି ରଖିଥିବା କଥା ମଧ୍ୟ ବିଜେଡି ଉଠାଇବ। ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.