IPL-2020 : ଆଜି ମୁହାଁମୁହିଁ ହେବେ କୋଲକାତା ଓ ପଞ୍ଜାବ : ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛି KXIP

Published By : Prameya-News7 Bureau | October 10, 2020 IST

ଦୁବାଇ ୧୦।୧୦: ଆଇପିଏଲ୍‌ ୨୦୨୦ରେ ଆଜି ୨୪ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା । ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପରାସ୍ତ କରିବା ପରେ ନାଇଟ୍‌ ରାଇଡର୍ସର ମନୋବଳ ଦ୍ୱିଗୁଣିତ ରହିଛି । ସେହିପରି ଅନ୍ୟପଟେ ଲଗାତର ୩ଟି ମ୍ୟାଚ୍‌ ହାରିଥିବା କିଙ୍ଗ୍‌ସ ଏକାଦଶ ପଞ୍ଜାବ ଏବେ ଚାପରେ ରହିଛି । ଦଳ ପରାଜୟ ଧାରାକୁ ଭାଙ୍ଗି ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ।

ସିଜନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି କିଙ୍ଗ୍‌ସ ଏକାଦଶ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଶେଷ କିଛି ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶ ୬୯ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ହାରିଯାଇଥିଲା । ଆଜିର ମ୍ୟାଚ୍‌ରେ ଅଧିନାୟକ ଲୋକେଶ ରାହୁଲ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି। ଅସୁସ୍ଥତା ପାଇଁ ପୂର୍ବ ମ୍ୟାଚ୍‌ ଖେଳିନଥିବା କ୍ରିସ୍‌ ଗେଲ୍‌ଙ୍କ ସମେତ ଦୀପକ ହୁଡା ସୁଯୋଗ ପାଇପାରନ୍ତି । ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସୱେଲଙ୍କ ଖରାପ ଫର୍ମ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି । ତେଣୁ ତାଙ୍କୁ ବାଦ୍‌ ଦିଆଯିବ ସମ୍ଭାବନା ରହିଛି ।

ସେହିପରି ଆଜିର ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସ ବୋଲର ଓ କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ନାଇଟ୍‌ ରାଇଡର୍ସ ଦଳ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଛି । ଶେଷ ମ୍ୟାଚ୍‌ରେ ଦଳ ସୁପର କିଙ୍ଗ୍‌ସକୁ ୧୦ରନ୍‌ରେ ପରାସ୍ତ କରିଥିଲା । ବୋଲରମାନେ ୧୬୭ରନ୍‌ର ଟାର୍ଗେଟକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲେ। ଓପନିଂ ସୁଯୋଗ ପାଇଥିବା ରାହୁଲ ତ୍ରିପାଠୀ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମରେ ଥିବା ପ୍ରମାଣିତ କରିଥିଲେ ।

ଯୁବ ଓପନର ଶୁବମନ ଗିଲ୍‌ ଭଲ ପ୍ରଦର୍ଶନ କରୁଥିବାବେଳେ ଆନ୍ଦ୍ରେ ରସେଲ୍‌ ଓ ଇୟନ ମୋର୍ଗାନ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବୋଲିଂ ବିଭାଗରେ ଶିବମ ମାଭି ଓ କମଳେଶ ନାଗରକୋଟି ଭଲ ଫର୍ମରେ ରହିଛନ୍ତି।ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ବିପକ୍ଷରେ ନାଇଟ୍‌ ରାଇଡର୍ସର ରେକର୍ଡ଼ ଭଲ ରହିଛି । ଦଳ ୨୫ଥର ଭେଟ ମଧ୍ୟରୁ ୧୭ଟି ମ୍ୟାଚ୍‌ ଜିତିଛି। ପୂର୍ବ ୩ଟି ମ୍ୟାଚ୍‌ରେ (୨୦୧୯ ଓ ୨୦୧୮) ଅପରାଜେୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.