ଆଜି ବିଶ୍ବ ପରିବେଶ ଦିବସ: ହ୍ରାସ ପାଇଛି ପରିବେଶ ପ୍ରଦୂଷଣ
5/06/2020 at 9:06 AM

ଭୁବନେଶ୍ବର୫/୬: ଆଜି ହେଉଛି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆମେ ଆମ ପରିବେଶ ସମ୍ପର୍କରେ ପୁଣି ଥରେ ଟିକେ ଚିନ୍ତା କରିବାର ଆବଶ୍ୟକତା ରହିଛି । ମଣିଷ ପାଇଁ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ କେବେ ବି ନଷ୍ଟ କରନ୍ତୁ ନାହିଁ । ଏବେଠୁ ସଚେତନ ନହେଲେ ଆଗକୁ ଆମକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। କରୋନା ଭଳି ମହାମାରୀ ହେଉ କିମ୍ବା ଅମ୍ଫାନ୍, ଫନି ଭଳି ସାମୁଦ୍ରିକ ଝଡ଼ବାତ୍ୟା, ଏସବୁ ବିପର୍ଯ୍ୟୟରୁ ଅନେକ କିଛି ଶିକ୍ଷା ଲାଭ କରିବାର ଅଛି ।
କରୋନା ଲକ୍ଡାଉନ୍ ସାଧାରଣ ମଣିଷର ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଥିଲେ ମଧ୍ୟ ଅନେକ କିଛି ଶିକ୍ଷା ଦେଇଛି । ଲକଡାଉନ୍ ସମୟରେ ଆମ ପରିବେଶରେ ପ୍ରଦୂଷଣ ହ୍ରାସ ପାଇଛି । ସମସ୍ତେ ଘରେ ରହୁଥିବାରୁ ଗାଡ଼ି ମଟର ଚଳାଚଳ କମ୍ ହୋଇଛି । କଳ, କାରଖାନାର କଳାଧୂଆଁ ଯୋଗୁଁ ଗଗନ ପବନ ପ୍ରଦୂଷିତ ହେବାରୁ ରକ୍ଷା ପାଇଛି । ପ୍ରକୃତିର ପ୍ରକୃତ ରୂପକୁ ଅନୁଭବ କରିବାର ସୁଯୋଗ ଆଣି ଦେଇଛି ଲକ୍ଡାଉନ୍। ପୁଣି ଥରେ ପରିବେଶ ସୁରକ୍ଷା ସମ୍ପର୍କରେ ଚିନ୍ତା କରିବାର ଅବସର ଆଣିଦେଇଛି କରୋନା ଲକଡାଉନ୍।
ବଣ ପାହାଡ଼ ଘେରା ବଲାଙ୍ଗିର ତା’ର ପ୍ରାକୃତିକ ପରିବେଶ ପାଇଁ ଗର୍ବ କରେ । ହେଲେ ଏଠି କିଛି ନ୍ୟସ୍ତସ୍ବାର୍ଥ ମାଫିଆ ହଜାର ହଜାର ସଂଖ୍ୟାରେ ଗଛକାଟି ଜଙ୍ଗଲ ନଷ୍ଟ କରୁଛନ୍ତି । ଫଳରେ ପରିବେଶର ସନ୍ତୁଳନ ବିଗିଡ଼ିବା ସହିତ ପ୍ରକୃତିର କୋଳରେ ବଞ୍ଚୁଥିବା ପଶୁପକ୍ଷୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ବ୍ୟାପକ ଜଙ୍ଗଲ ନଷ୍ଟକୁ ରୋକିବା ସହ ପରିବେଶର ସୁରକ୍ଷାର ଗୁରୁତ୍ବ ଉପରେ ଜନସଚେତନା ସୃଷ୍ଟି କରାଯିବାର ଆବଶ୍ୟକତାକୁ ଦେଖୁଛନ୍ତି ପରିବେଶବିତ୍ ।
ବିଶ୍ବ ପରିବେଶ ଦିବସରେ ମଣିଷ ସମାଜ ପାଇଁ ପ୍ରକୃତିର ବଡ଼ ଉପହାର ସବୁଜିମା ଭରା ବଣ ଜଙ୍ଗଲ, ପାହାଡ଼ ପର୍ବତ, ନଦୀନାଳ, ଜୀବଜନ୍ତୁଙ୍କ ସୁରକ୍ଷା ସମ୍ପର୍କରେ ସଚେନତା ସୃଷ୍ଟି ପାଇଁ ନିଜ ବାଲୁକା କଳା ମାଧ୍ୟମରେ ଏଭଳି କିଛି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ବାଲୁକା ଶିଳ୍ପୀ ଓମ୍ ପ୍ରକାଶ । ଆଧୁନିକତା ଏବଂ ବିଜ୍ଞାନକୁ ନେଇ ଗର୍ବ କରୁଥିବା ମଣିଷମାନଙ୍କ ପାଇଁ ବିପର୍ଯ୍ୟୟ ଶିକ୍ଷା ଲାଭ କରିବାର ଅବସର ଆଣିଛି । ପ୍ରକୃତିକୁ ନଷ୍ଟ କଲେ ମଣିଷ ତା’ର ଅସ୍ତିତ୍ବ ହରାଇବସିବ ଏଥିରେ କୌଣସି ସଂଦେହ ନାହିଁ । ତେଣୁ ବିଶ୍ବ ପରିବେଶ ଦିବସରେ ପ୍ରକୃତିର ସୁରକ୍ଷା ପାଇଁ ଆସନ୍ତୁ ସମସ୍ତେ ସପଥ ନେବା ।