ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆ ବର୍ଷର ପ୍ରଥମ ଦିନ, କିନ୍ତୁ ଚାରିଆଡ଼େ ଖାଁ ଖାଁ

Published By : Prameya-News7 Bureau | April 13, 2020 IST

ଭୁବନେଶ୍ବର୧୩/୪: ଆଜି ମହାବିଷୁବ ସଂକ୍ରାନ୍ତି । ହିନ୍ଦୁ ଧାର୍ମିକ ପରମ୍ପରାର ଏକ ମୁଖ୍ୟପର୍ବ । ଓଡ଼ିଆ ପଞ୍ଜିକା ଅନୁସାରେ ଆଜି ହେଉଛି ଓଡ଼ିଆ ନୂଆ ବର୍ଷର ପ୍ରଥମ ଦିନ । ଏହି ଦିନରେ ମନ୍ଦିରରେ ଠାକୁର ଠାକୁରାଣୀଙ୍କ ପାଖରେ ଛତୁଆ ଓ ପଣା ଭୋଗର ବିଧି ରହିଥିବାରୁ , ଏହି ଦିନଟିକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ । ପଣା ସଂକ୍ରାନ୍ତିରେ ମହାବଳୀ ହନୁମାନଙ୍କ ଜନ୍ମଦିନ ହୋଇଥିବାରୁ ଏହି ଦିନଟିକୁ ହନୁମାନ ଜୟନ୍ତୀ ହିସାବରେ ମଧ୍ୟ ପାଳନ କରାଯାଇଥାଏ । ତେବେ କରୋନା ଯୋଗୁଁ ଏଥର ଫିକା ପଡ଼ିଛି ସଂକ୍ରାନ୍ତି ପାଳନ । ସେହିପରି ବ୍ରହ୍ମପୁରରେ ମେରୁ ଯାତ୍ରା ବି ବନ୍ଦ ହୋଇଛି ।

ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନୂଆବର୍ଷ । ହନୁମାନ ଜୟନ୍ତୀ । ପଣା ସଂକ୍ରାନ୍ତି । ଏତେ ସାରା ନାଁ, କିନ୍ତୁ ସେଲିବ୍ରେସନ ଗୋଟିଏ ଦିନରେ । ହେଲେ ସବୁ ଉଜାଡି଼ ଦେଇଛି କରୋନା । ଗତବର୍ଷ ଯେଉଁ ସ୍ଥାନରେ ଲୋକଙ୍କ ଗହଳିରେ ଉଛୁଳି ପଡ଼ୁଥିଲା, ଘଣ୍ଟଘଣ୍ଟା ବାଦ୍ୟରେ ମୁଖରିତ ହେଉଥିଲା, ଆଜି ସେଠାରେ କାଉ, କୋଇଲିଙ୍କର ବି ଦେଖାନାହିଁ । ଗତବର୍ଷ ପଣାସଂକ୍ରାନ୍ତି ଉତ୍ସବମୁଖରିତ ଥିଲା ପୂରା ଘଟଗାଁ । ହେଲେ ଏବର୍ଷର ଦୃଶ୍ୟ ଆପଣଙ୍କ ସ୍କ୍ରିନ ଉପରେ । ଗତ ୯ ତାରିଖରୁ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ ହୋଇଛି । ମାଆ ତାରିଣୀ ୭ ଦିନ ଧରି ସୁନା ବେଶରେ ସଜ୍ଜିତ ହେଉଥିଲେ ମଧ୍ୟ କରୋନା ଯୋଗୁ ଭକ୍ତ ଦର୍ଶନ କରିପାରୁନାହାନ୍ତି । ସାଧାରଣ ଦର୍ଶନ ବନ୍ଦ ଥିବାରୁ  ମନ୍ଦିର ପରିସର ବି ଖାଁ ଖାଁ ।

ମହାବିଷୁବ ସଂକ୍ରାନ୍ତି ଅବସରରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ବଡ଼ ଧୁମ ଧାମରେ ବଡ଼ ପର୍ବ ପାଳନ କରାଯାଏ । କାଳେସୀଙ୍କ ସହିତ ବ୍ରତ ରଖିଥିବା ମାନସିକଧାରୀମାନେ ଝାମୁ ଚାଲିଥାନ୍ତି । ହେଲେ ଲକ ଡାଉନ ଯୋଗୁଁ ସବୁ ଫିକା ପଡିଯାଇଛି । କେବଳ ଅଳ୍ପ କେତେକ ସେବାୟତ ଓ ପୂଜକ ସାମାଜିକ ଦୂରତା ରକ୍ଷା କରି ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ସେହିପରି ଜଗତସିଂହପୁର ଝଙ୍କଡ଼ର ମା ଶାରଳାଙ୍କ ପୀଠରେ ମଧ୍ୟ ସମାନ ଦୃଶ୍ୟ । ଝାମୁଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ  ଛୁଟିଥାଏ । ମାଙ୍କ ଆଗରେ  ନିଆଁରେ ଚାଲି ସେମାନଙ୍କ ଭକ୍ତିର ପରାକାଷ୍ଠା ଦେଖାଇଥାନ୍ତି ଶ୍ରଦ୍ଧାଳୁ । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଏଥିପାଇଁ ଚଳିତ ବର୍ଷ ବନ୍ଦ ରହିଛି ଝାମୁଯାତ୍ରା।

ସେପଟେ ପୁରୀ କୃଷ୍ଣପ୍ରସାଦ ବ୍ଲକରେ କରୋନା ମହାମାରୀ ଆତଙ୍କ ପରେ ଦ୍ବିତୀୟ ବାଲିଯାତ୍ରା କୁହାଯାଉଥିବା ପଣା ଯାତ୍ରାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଛି ୩୫ ମୌଜା ପରିଚାଳନା ଯାତ୍ରାକମିଟି । ଏପରିକି ଯାତ୍ରା ପଡିଆକୁ ଆସିଲେ ୧ ଲକ୍ଷ ୨୫ ହଜାର ଟଙ୍କାର  ଜରିମାନା ଦେବାକୁ  ପଡ଼ିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରେ ମଧ୍ୟ କାଳୀଙ୍କୁ ଉପାସନା କରି ପାଳନ ହୋଇ ଆସୁଥିବା ଦଣ୍ଡ ଯାତ୍ରା ଶେଷରେ ଆଜି  ମେରୁଯାତ୍ରା ଭାବେ  ପାଳନ କରାଯାଏ । ତେବେ ସହରର ବିଭିନ୍ନ ମନ୍ଦିର ଖାଁ ଖାଁ ଥିବା ଦେଖିବାକୁ ମିଳିଛି। ହନୁମାନ ଭକ୍ତ କୁହନ୍ତୁ କି ଦଣ୍ଡୁଆ ଉପଭୋକ୍ତା ହୁଅନ୍ତୁ। କାହାରି ବି ଦେଖା ମିଳିନି। ମନ୍ଦିର ସମ୍ମୁଖରେ କାଁ ଭାଁ ଭକ୍ତ ଦୀପ ପ୍ରଜ୍ଜଳନ କରି ପୂଜାର୍ଚ୍ଚନା କରିଛନ୍ତି।ଓଡ଼ିଶା ତଥା ଓଡ଼ିଆ ପରମ୍ପରାରେ ସ୍ବତନ୍ତ୍ର ମାହାତ୍ମ୍ୟ ରଖୁଥିବା ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଉତ୍ସାହ କରୋନା ପାଇଁ ଫିକା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.