ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ, 'କର ବା ମର' ସ୍ଥିତିରେ ଏସଆରଏଚ

Published By : Prameya-News7 Bureau | October 31, 2020 IST

ଦୁବାଇ,୩୧/୧୦: ଆଜି ଆଇପିଏଲ୍‌ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ସନ୍‌ରାଇଜର୍ସକୁ ଏହି ମ୍ୟାଚ୍‌ ଜିତିବାକୁ ପଡ଼ିବ। ନହେଲେ ଦଳ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ। ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୨ମ୍ୟାଚ୍‌ରୁ ୧୪ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍‌ରେ ଦଳ ସନ୍‌ରାଇଜର୍ସକୁ ହରାଇ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ ।

ସନ୍‌ରାଇଜର୍ସ ୧୨ମ୍ୟାଚ୍‌ରୁ ୧୦ପଏଣ୍ଟ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି । ଦଳର ଆଉ ୨ଟି ମ୍ୟାଚ୍‌ ବାକି ଅଛି। ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଶେଷ ୨ଟି ଯାକ ମ୍ୟାଚ୍‌କୁ ଉନ୍ନତ ରନ୍‌ ରେଟ୍‌ରେ ଜିତିବା ଜରୁରୀ। ପୂର୍ବ ମୁକାବିଲାରେ ଦଳ ଶକ୍ତିଶାଳୀ ଦିଲ୍ଲୀ କ୍ୟାପିଟାଲ୍ସ (୮୮ରନ୍‌ରେ)କୁ ହରାଇ ଦୃଢ଼ ମନୋବଳରେ ରହିଛି। ଏହି ମ୍ୟାଚ୍‌ରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହା ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ । କିନ୍ତୁ ଶାହା ଆହତ ହୋଇଥିଲେ । ଆଜି ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି। ଯଦି ସେ ଖେଳନ୍ତି, ତା’ହେଲେ ଜନି ବେୟାରଷ୍ଟୋ ପ୍ରତ୍ୟାବର୍ତ୍ତନ କରିବେ । ତେବେ କେନ୍‌ ୱିଲାମସନ୍‌ କିମ୍ବା ପେସ୍‌ ବୋଲର ଜାସନ ହୋଲ୍ଡରଙ୍କ ମଧ୍ୟରୁ ଜଣେ ବାଦ୍‌ ପଡ଼ିବେ । ସେହିପରି ପ୍ରିୟମ ଗର୍ଗ ପ୍ରତ୍ୟାବର୍ତ୍ତନ କରିବେ । ଆଜିର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ ଓ ସ୍ପିନର ରସିଦ୍‌ ଖାନ୍‌ଙ୍କ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ପୂର୍ବ ୨ଟି ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ନିକଟରୁ ପରାଜିତ ହୋଇଥିଲା। ଦଳର ଆଉ ୨ଟି ମ୍ୟାଚ୍‌ ବାକି ଅଛି। ପ୍ଲେ-ଅଫ୍‌ ସ୍ଥାନ ପାଇଁ ଆଉଏକ ବିଜୟ ଆବଶ୍ୟକ। ଯଦି ଦଳ ୨ଟି ଯାକ ମ୍ୟାଚ୍‌ରେ ପରାଜିତ ହୁଏ, ତା’ହେଲେ ପ୍ଲେ-ଅଫ୍‌ ରାସ୍ତା କଠିନ ହୋଇଯିବ। ତେଣୁ ଆଜି ମ୍ୟାଚ୍ରେ‌ ସନ୍‌ରାଇଜର୍ସକୁ ହରାଇ ସ୍ଥାନ ପକ୍କା କରିବାକୁ ଚାହିଁବ। ଅଧିନାୟକ ବିରାଟ କୋହଲି ଓ ଡି’ଭିଲର୍ସଙ୍କ ଉପରେ ଦଳ ନିର୍ଭରଶୀଳ। ଯୁବ ଓପନର ଦେବଦତ୍ତ ପାଡିକଲ ଭଲ ଫର୍ମରେ ରହିଛନ୍ତି । କିନ୍ତୁ ସ୍ପିନ୍‌ ଯାଦୁକର ରସିଦ୍‌ଙ୍କ ସାମ୍ନାରେ ପାଡିକଲଙ୍କ ଦକ୍ଷତାର ଅସଲ ପରୀକ୍ଷା ହେବ। ନବଦୀପ ସାଇନିଙ୍କ ଆହତ ସମସ୍ୟା ଚିନ୍ତାଜନକ ରହିଛି। ତାଙ୍କ ସ୍ଥାନରେ ସୁଯୋଗ ପାଇଥିବା ଡେଲ୍‌ ଷ୍ଟେନ୍‌ ପୂର୍ବ ମ୍ୟାଚ୍‌ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ତେଣୁ ଦଳ ଇସୁରୁ ଉଦାନାଙ୍କୁ ସୁଯୋଗ ଦେଇପାରେ। ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୦ରନ୍‌ରେ ସନ୍‌ରାଇଜର୍ସକୁ ପରାସ୍ତ କରିଥିଲା।

ସମ୍ଭାବ୍ୟ ଏକାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଜୋସ୍‌ ଫିଲିପ୍‌, ଦେବଦତ୍ତ ପାଡିକଲ୍‌, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଶିବମ ଦୁବେ, କ୍ରିସ୍‌ ମୋରିସ୍‌, ଗୁରକୀରତ ସିଂହ, ୱାସିଂଟନ୍‌ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ୍‌, ଡେଲ୍‌ ଷ୍ଟେନ୍‌/ଇସୁରୁ ଉଦାନା ।

ସନ୍‌ରାଇଜର୍ସ: ଡେଭିଡ୍‌ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ୍‌ ଶାହା/ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ୍‌ ୱିଲାମସନ୍‌/ପ୍ରିୟମ ଗର୍ଗ, ବିଜୟ ଶଙ୍କର, ଅବଦୁଲ ସମଦ, ଜାସନ ହୋଲ୍ଡର, ରସିଦ୍‌ ଖାନ୍‌, ସନ୍ଦୀପ ଶର୍ମା, ଟି. ନଟରାଜନ, ସାହାବାଜ ନଦୀମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.