ଦୁବାଇ,୦୪/୧୦: ଆଇପିଏଲ୍ର ୫୦ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ସୁପର ପାୱାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ନେଇ ଉଭୟ ଦଳ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ସୁପରକିଙ୍ଗ୍ସ ୧୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ସମାନ ସଂଖ୍ୟକ ପଏଣ୍ଟ ହାସଲ କରିଥିଲେ ହେଁ ରନ୍ ରେଟ୍ରେ ପଛରେ ରହି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି । ଉଭୟ ଦଳ ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିସାରିଛନ୍ତି । ବିଜେତା ଦଳର ପଏଣ୍ଟ ସଂଖ୍ୟା ୨୦ରେ ପହଞ୍ଚିଯିବ । ଫଳରେ ଲିଗ୍ ପର୍ଯ୍ୟାୟର ଅସଲ ଶ୍ରେଷ୍ଠ ଦଳ ସ୍ପଷ୍ଟ ହୋଇଯିବ। ଏପ୍ରିଲ ୧୦ ତାରିଖରେ ଉଭୟ ପ୍ରଥମ ମ୍ୟାଚ୍ ଖେଳିଥିଲେ । କ୍ୟାପିଟାଲ୍ସ ୭ ୱିକେଟ୍ରେ ଏହି ମ୍ୟାଚ୍ ଜିତିଥିଲା ।
ଏବେ ସୁପରକିଙ୍ଗ୍ସର ପାଳି । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସୁପରକିଙ୍ଗ୍ସ ପ୍ରୟାସ କରିବ । ଉଭୟ ଦଳର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇବା ମୁର୍ଖାମୀ ହେବ । ୨ଟି ଯାକ ଦଳ ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସୁପରକିଙ୍ଗ୍ସ ଓପନର ଋତୁରାଜ ଗାଏକୱାଡ ଶତକ ଅର୍ଜନ କରିଥିଲେ ।
ମ୍ୟାଚ୍ରେ ଉଭୟ ଦଳର ରଣନୀତି ଦର୍ଶକଙ୍କ ଉତ୍ସୁକତା ବଢାଇ ଦେବ । କାରଣ ଗୋଟିଏ ପଟେ ଗୁରୁ ମହେନ୍ଦ୍ର ସିଂ ଧୋନି ଅଧିନାୟକ ଓ ଅନ୍ୟ ପଟରେ ତାଙ୍କ ଶିଷ୍ୟ ରିଷଭ ପନ୍ତ କ୍ୟାପିଟାଲ୍ସ ଦଳର ନେତୃତ୍ତ୍ୱ ନେଉଛନ୍ତି ।