ଆଇପିଏଲ ୨୦୨୧ : ମୁହାଁମୁହିଁ ହେବେ କୋହଲି ଓ ମୋର୍ଗାନ, ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ଆରସିବି

Published By : Prameya-News7 Bureau | April 18, 2021 IST

ଚେନ୍ନାଇ,୧୮/୦୪: ରବିବାର ଆଇପିଏଲ୍‌ରେ ଖେଳାଯିବ ୨ଟି ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ(ଦଶମ ଲିଗ୍‌ ମୁକାବିଲା) ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ। ଅପରାହ୍ଣ ୩.୩୦ ମିନିଟ୍‌ରେ ଏହି ମ୍ୟାଚ୍‌ ଆରମ୍ଭ ହେବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ (ରାତି ୭.୩୦)ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବେ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି ସିଜନର ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ନାଇଟ୍‌ ରାଇଡର୍ସ ତ୍ରୁଟି ସୁଧାରି ବିଜୟ ଧାରାକୁ ଫେରିବାକୁ ଯୋଜନା ପ୍ରସ୍ତୁତ କରିଛି । ଉଭୟ ଦଳର ସମସ୍ତ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ପ୍ରଦର୍ଶନ ଅନୁଯାୟୀ ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିଛି । ପ୍ରଥମତଃ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସକୁ ପରାସ୍ତ କରିସାରିଛି । ନାଇଟ୍‌ ରାଇଡର୍ସ ବିପକ୍ଷରେ ମଧ୍ୟ ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନ ଉନ୍ନତ ରହିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଗତ ସିଜନରେ ନାଇଟ ରାଇଡର୍ସ ବିପକ୍ଷ ଉଭୟ ମ୍ୟାଚ୍‌ ଜିତିଥିଲା । ଏଥର ମଧ୍ୟ ଆଧିପତ୍ୟ ଜାରି ରଖିବାକୁ କୋହଲିଙ୍କ ଦଳ ପ୍ରୟାସ କରିବ ।

ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହେବା ପରେ ନାଇଟ୍‌ ରାଇଡର୍ସ ଜୋରଦାର ପ୍ରସ୍ତୁତି କରିଛି । ଅଭ୍ୟାସ ଶିବିରରେ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ତେଣୁ ରବିବାର ନାଇଟ୍‌ ରାଇଡର୍ସ କୌଣସି ତ୍ରୁଟି ନକରିବାକୁ ପ୍ରୟାସ କରିବ । ନିତିଶ ରାଣା ଓ ଶୁଭମନ ଗିଲ୍‌ ପାଳି ଆରମ୍ଭ କରିବେ । ରାଣା ଫର୍ମରେ ଅଛନ୍ତି । ୨ଟି ଯାକ ମ୍ୟାଚ୍‌ରେ ସେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ହେଲେ ଗିଲଙ୍କ ବ୍ୟାଟ୍‌ରୁ ଏପର୍ଯ୍ୟନ୍ତ ବଡ଼ ଇନିଂସ ଦେଖବାକୁ ମିଳି ନାହିଁ । ସେ ଉପଯୋଗୀ ଇନିଂସ ଖେଳିବା ଆଶା କରାଯାଉଛି । ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ବିଶେଷ କରି ଇୟନ ମୋର୍ଗାନ, ଦିନେଶ କାର୍ତ୍ତିକ ଓ ଆନ୍ଦ୍ରେ ରସେଲ ସଫଳ ହେଲେ ନାଇଟ୍‌ ରାଇଡର୍ସର ବିଜୟ ସମ୍ଭବ ହୋଇ ପାରିବ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଛି । ବିଶେଷ କରି ବୋଲରମାନଙ୍କ ପ୍ରଦର୍ଶନ ବେଶ୍‌ ଶୃଙ୍ଖଳିତ ରହିଛି । ବ୍ୟାଟିଂ ବିଭାଗଠୁ ଅଧିକ ଆଶା କରାଯାଉଛି । ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲଙ୍କ ବ୍ୟାଟ୍‌ରୁ ଅର୍ଦ୍ଧଶତକ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

ରବିବାର ଅପରାହ୍ଣରେ ମ୍ୟାଚ୍‌ ଥିବାରୁ ଟସ୍‌ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିପାରନ୍ତି । ଚିପକ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ତେଣୁ ରୟାଲ୍‌ ଚ୍ୟାଲେଞ୍ଜର୍ସର ସାହାବାଜ ଅହମ୍ମଦଙ୍କ ଉପରେ ନଜର ରହିବ । ସନରାଇଜର୍ସ ବିପକ୍ଷରେ ସେ ଗୋଟିଏ ଓଭରରେ ୩ଟି ୱିକେଟ୍‌ ନେଇ ବିଜୟ ଛଡ଼ାଇ ଆଣିଥିଲେ । ତାଙ୍କ ବୋଲିଂ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.