ଆଜିଠୁ ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ : କେଉଁ ଖେଳାଳୀ କେତେ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ, ଜାଣନ୍ତୁ

Published By : Prameya-News7 Bureau | August 08, 2019 IST

ନୂଆଦିଲ୍ଲୀ୮|୮: ଭାରତୀୟ ଟିମ ଟି-୨୦ ସିରିଜ୍ କବଜା କରିବା ପରେ ପୁଣି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକଦିବସୀୟ ସିରିଜ୍ ହାତେଇବା ଲକ୍ଷ୍ୟ ରଖିଛି।ବିଶ୍ବକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜଲାଣ୍ଡଠାରୁ ଭାରତୀୟ ଟିମ୍ ହାରିବା ପରେ ଏହି ଫର୍ମାଟର ପ୍ରଥମ ମ୍ୟାଚ ଆଜି ଖେଳାଯିବ।ଏକଦିବସୀୟ  ସିରିଜ୍ ମ୍ୟାଚ ହାତେଇବା ପାଇଁ ଟିମ ଇଣ୍ଡିଆ ପ୍ରୟାସ କରିବ। ବିଶ୍ବକପରେ ଆଘାତ କାରଣରୁ ବାଦ୍ ପଡ଼ିଥିବା ଶିଖର ଧାଓ୍ବନ ପୁଣି ଦଳକୁ ​‌ଫେରିବେ। ବ୍ୟାଟିଂରେ ଚତୁର୍ଥ ସ୍ଥାନରେ କିଏ ମୈଦାନକୁ ଓହ୍ଲାଇବେ ଏନେଇ ଟିମ ଇଣ୍ଡିଆ ଦ୍ବନ୍ଦ୍ବରେ ପଡ଼ିଛି।

୧୩୦ଟି ଏକଦିବସୀୟ ମ୍ୟାଚ ଖେଳି ୧୭ଟି ଦମଦାର ଶତକ ହାସଲ କରିଥିବା ଧାଓ୍ବନ ପୁଣି ରୋହିତ ଶର୍ମାଙ୍କ ସହ ଓପିନିଂ ଇନିଂସ  ଖେଳିବେ। ତେବେ ଲୋକେଶ ରାହୁଲ ୪ ନଂରେ ବ୍ୟାଟିଂ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନ​‌ରେ ବ୍ୟାଟିଂ କରିବେ।ସେହିପରି କେଦାର ଯାଦବ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ ଯାଇପାରନ୍ତି ବୋଲି ଆଶା କରାଯାଉଛି ।ଏହି ରେସ୍ ଭିତରେ ଋଷଭ ପନ୍ଥଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବା ପାଇଁ ସୁଯୋଗ ମିଳିବ ତାହା ବିରାଟଙ୍କ ଉପରେ ନିର୍ଭର କରେ।

ମନୀଷ ପାଣ୍ଡେ ଓ ଶ୍ରେୟସ ଅୟରଙ୍କ ମଧ୍ୟରୁ ମଧ୍ୟକ୍ରମରେ କିଏ ବ୍ୟାଟିଂ କରିବେ ସେ ନିଷ୍ପତ୍ତି ବି ଅଧିନାୟକ କରିବେ। ଟି-୨୦ ଅନ୍ତରାର୍ଜାତୀୟ ମ୍ୟାଚରେ ମନିଷ ପାଣ୍ଡେ ଭଲ ଖେଳ ପ୍ରଦର୍ଶନ କରିପାରି ନଥିଲେ। ତେଣୁ ଏହି ଏକଦିବସୀୟ ମ୍ୟାଚରେ ଶ୍ରେୟସଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବା ପାଇଁ ମୌକା ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ସପ୍ତାହରେ ୩ଟି  ଟି-୨୦ ମ୍ୟାଚ ଖେଳିସାରିଥିବା ଭୁବନେଶ୍ବର କୁମାରଙ୍କୁ ଆରାମ ଦିଆଯାଇ ପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.