ଆଜି ଆମେରିକାର ହ୍ୟୁଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ : ଭାରତୀୟ-ଆମେରିକା ସମୁଦାୟଙ୍କୁ ସମ୍ବୋଧନ କରିବେ ମୋଦି
22/09/2019 at 8:24 AM

ନୂଆଦିଲ୍ଲୀ ୨୨/୯: ୭ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଜର୍ଜ ବୁଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ପହଞ୍ଚି ଥିଲେ ମୋଦି। ଯେଉଁଠା ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଆଜି ଟେକ୍ସାସର ହ୍ୟୁଷ୍ଟନ ସହରରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକା ସମୁଦାୟଙ୍କ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ। ହ୍ୟୁଷ୍ଟନର ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଏଥିରେ ପାଖାପାଖି ୫୦ ହଜାର ଭାରତୀୟ-ଆମେରିକା ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫ୍ରାନ୍ସର ବାରିଆଚରେ ଆୟୋଜିତ ଜି-୭ ଶିଖର ବୈଠକ ପରେ ପୁଣି ମୋଦି-ଟ୍ରମ୍ପଙ୍କୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିବ। ଏହା ପୂର୍ବରୁ ମୋଦି ହୋଟେଲ ପୋଷ୍ଟ ଓକ୍ ରେ ଆମେରିକାର ୧୬ଟି ତୈଳ ଓ ଗ୍ୟାସ କମ୍ପାନୀ ସିଇଓଙ୍କ ସହ ଭେଟି ଆଲୋଚନା କରିଛନ୍ତି । ମୋଦିଙ୍କ ଆମେରିକା ଗସ୍ତର ଏହା ପ୍ରଥମ କାର୍ଯ୍ୟକ୍ରମ ।
ସୋମବାର ମୋଦି ଜାତିସଂଘ ସାଧାରଣ ପରିଷଦରେ ଜଳବାୟୁ ସମ୍ମିଳନୀକୁ ସମ୍ବୋଧିତ କରିବେ। ଆତଙ୍କବାଦ ପ୍ରସଙ୍ଗରେ ବିଶ୍ବର କିଛି ତୁଙ୍ଗ ନେତାଙ୍କୁ ଭେଟିବେ। ଆମେରିକା କଂଗ୍ରେସର ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରିବେ। ୨୭ରେ ଜାତିସଂଘ ସାଧାରଣ ପରିଷଦରେ ମୋଦି ରଖିବେ ଅଭିଭାଷଣ।
ଭାରତ-ଆମେରିକା ମଧ୍ୟରେ ହୋଇପାରେ ମିନି ବାଣିଜ୍ୟ ଚୁକ୍ତି । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ମଧ୍ୟରେ କିଛି ସାମଗ୍ରୀ ଉପରୁ ଆମଦାନୀ ଶୁକ୍ଳ ହ୍ରାସ ହେବ। ଭାରତରୁ ଆମଦାନୀ କରାଯାଉଥିବା ସାମଗ୍ରୀର ଶୁକ୍ଳ ହ୍ରାସ ହେବା ଫଳରେ ରପ୍ତାନୀ ମଧ୍ୟ ବଢ଼ିବ । ସେହିପରି ଆମେରିକା ସାମଗ୍ରୀରୁ ଶୁକ୍ଳ ହ୍ରାସ ଦ୍ବାରା ଭାରତୀୟ ମାନେ ସେଠାକାର ବିଭିନ୍ନ ଜିନିଷ କିଣି ପାରିବେ । ଭାରତ ଓ ଚୀନ ଆମେରିକା ସାମଗ୍ରୀ ଉପରେ ଅଧିକ ଶୁକ୍ଳ ଲାଗୁକରୁଥିବା ନେଇ ପୂର୍ବରୁ ଆମେରିକା ଅଭିଯୋଗ କରୁଥିଲା । ଏବେ ସେହି ବିବାଦ ଅନ୍ତ ହେବାକୁ ଯାଉଛି ।
ଟ୍ରମ୍ପ ପ୍ରଶାସନ ଏହି ସପ୍ତାହ ଭାରତ ସହିତ ବ୍ୟାପାର ବୁଝାମଣା ନେଇ କିଛି ବଡ଼ ଘୋଷଣା କରିପାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଏହି ସପ୍ତାହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଭେଟ ପରେ ବଡ଼ ଘୋଷଣା ହୋଇପାରେ । ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବ୍ୟବସାୟିକ ଯୁଦ୍ଧ କାରଣରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ବଜାର ଅନୁସନ୍ଧାନରେ ଅଛନ୍ତି ।