କିଏ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ? କେନ୍ଦ୍ରୀୟ ନେତା ପହଞ୍ଚିବା ପରେ ଅପରାହ୍ନ ସୁଦ୍ଧା ହେବ ଘୋଷଣା : ରେସରେ ବହୁ ହେଭିଓ୍ବେଟ୍‌

Published By : Prameya-News7 Bureau | September 12, 2021 IST

ଅହମଦାବାଦ ୧୨/୦୯ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀ ଇସ୍ତଫା ଦେବା ପରେ କିଏ ଧରିବେ ମଙ୍ଗ ସେ ନେଇ ଆରମ୍ଭ ହୋଇଛି କସରତ । ରବିବାର ଅପରାହ୍ନ ସୁଦ୍ଧା ଗୁଜୁରାଟକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଯାଇପାରେ । ଏ ନେଇ ଆଜି ଅପରାହ୍ନରେ ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି । ବିଧାୟକ ଦଳ ବୈଠକରେ ହିଁ ନୂଆ ମୁହଁ ସାମ୍ନାକୁ ଆସିବ । ତେବେ ପଟିଦାର ସମ୍ପ୍ରଦାୟର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ଆସନରେ ବସିବା ନେଇ ଚର୍ଚ୍ଚା ଜୋରଧରିଛି ।

ବିଧାୟକ ଦଳ ବୈଠକ ପରେ ହିଁ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ ହେବ । ରବିବାର ସକା​‌ଳେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହଲ୍ଲାଦ ଯୋଶୀ ବିଧାୟକ ଦଳ ବୈଠକ​‌​‌ରେ ଯୋଗଦେବାକୁ ଅହମଦାବାଦ ପହଞ୍ଚିବେ । କେନ୍ଦ୍ରୀୟ ନେତାମାନେ ପହଞ୍ଚିବା ପରେ ବିଧାୟକ ଦଳ ବୈଠକ ହେବ ଏବଂ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।

ସୂଚନାଯୋଗ୍ୟ ଶନିବାର ଅନରାହ୍ନରେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ବହୁ ହେଭିଓ୍ବେଟ୍‌ଙ୍କ ନାଁ ରହିଛି । ପ୍ରଫୁଲ୍ଲ ପଟେଲ, ମନସୁଖ ମାଣ୍ଡଭୀୟ, ପୁରୁଷୋତ୍ତମ ରୂପାଲା, ନିତିନ୍ ପଟେଲଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସି. ଆର. ପାଟିଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍‌ରେ ରହିଛନ୍ତି ।

ଏକ ଅପ୍ରତ୍ୟାଶିତ  ଘଟଣାକ୍ରମେ ଶନିବାର ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ରାଜ୍ୟ ରାଜନୀତିରେ ନୂତନ ମୋଡ ଆସିଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କାରଣ ଦର୍ଶାଇ ରୂପାନୀ କହିଛନ୍ତି, ଗୁଜରାଟ ବିକାଶ ଯାତ୍ରାରେ ତାଙ୍କୁ ଯୋଗଦାନ ଦେବାର ସୁଯୋଗ ମିଳିଛି। ଗୁଜରାଟର ବିକାଶ ଯାତ୍ରା ଆଗକୁ ବଢିବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ମୁଁ ପଦ ଛାଡିଛି। ମୁଖ୍ୟମନ୍ତ୍ରୀ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି ବୋଲି ରୂପାନୀ କହିଛନ୍ତି।

ଇସ୍ତଫା ଦେବା ପରେ ବିଜୟ ରୂପାନୀ ନିଜ ବୟାନରେ କହିଛନ୍ତି, ବିଜେପି ମୋତେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦେଇଛି। ମୁଁ ଏହି ଦାୟିତ୍ଵକୁ ଭଲ  ଭାବେ ନିର୍ବାହ କରି ନିଜ କାର୍ଯ୍ୟକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଗୁଜୁରାଟ ସାମଗ୍ରିକ ବିକାଶ ତଥା ସର୍ବାଙ୍ଗୀନ କଲ୍ୟାଣରେ ନୂତନ ଶିଖର ଛୁଇଁଛି।

ବିଜୟ ରୂପାନୀ ସାମ୍ବାଦିକ ସମ୍ମିଳନୀରେ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ କହିଛନ୍ତି, ଗୁଜରାଟର ବିକାଶ ଯାତ୍ରାରେ ଗତ ୫ ବର୍ଷରେ ମୋତେ ଯେଉଁ ସୁଯୋଗ ମିଳିଛି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି। ମୋର କହିବା କଥା ଗୁଜରାଟର ବିକାଶ ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନୂତନ ନେତୃତ୍ଵ ସହିତ ଉତ୍ସାହ, ନୂତନ ଉର୍ଜା ସହିତ ଆଗକୁ ବଢିବା ଉଚିତ୍। ଏହାକ ଦୃଷ୍ଟିରେ ରଖି ମୁଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।

ଯାହା ଦାୟିତ୍ଵ ମିଳିବ ତାହା କରିବି

ଇସ୍ତଫା ଦେବା ପରେ  ବିଜୟ ରୂପାନୀ କହିଛନ୍ତି, ସଂଗଠନ ଏବଂ ବିଚାରଧାରା ଆଧାରିତ ଦଳ ହୋଇଥିବାରୁ ଭାରତୀୟ ଜନତା ପାର୍ଟିର ଏହି ପରମ୍ପରା ରହିଛି ଯେ, ସମୟ ସହିତ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ ମଧ୍ୟ ବଦଳିବାରେ ଲାଗିବ । ଏହା ଆମ ପାର୍ଟିର ବିଶେଷତ୍ଵ ଯେ, ପାର୍ଟି ଦ୍ଵାରା ଯାହା ଦାୟିତ୍ଵ ମିଳେ ଆମକୁ କାର୍ଯ୍ୟକର୍ତ୍ତା ହିସାବରେ ଏହାର ନିର୍ବାହ କରିଥାଉ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ ପରେ ଏବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନୂତନ ଦାୟିତ୍ଵ ସୂଚାରୁ ଭାବେ ତୁଲାଇବି। ପାର୍ଟି ଏବେ ମୋତେ ଯାହା ଦାୟିତ୍ଵ ଦେବ ତାକୁ ସଂପୂର୍ଣ୍ଣ ଦାୟିତ୍ଵର ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନରେ କାମ କରିବି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.