ସରକାର ଗଠନ ପାଇଁ ବିଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ : ଆଜି ବସୁଛି ବିଜେପି କୌର କମିଟି ବୈଠକ
10/11/2019 at 9:07 AM

ମହାରାଷ୍ଟ୍ର ୧୦।୧୧: ମହାରାଷ୍ଟ୍ରରେସରକାର ଗଠନ ନେଇ ଲାଗିଥିବା ସସପେନ୍ସର ଅନ୍ତ ଘଟିଛି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ବିଜେପିର ଦେବେନ୍ଦ୍ର ଫଡନଭିସଙ୍କୁ ସରକାର ଗଠନ ପାଇଁ ଡାକିଛନ୍ତି ।

ବିଜେପି-ଶିବସେନା ଭିତରେ ସରକାର ଗଠନ ପାଇଁ ଟଣାଓଟରା ଚାଲିଥିବା ବେଳେ, ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଡାକିବା ରାଜ୍ୟରେ ନୂଆ ରାଜନୈତିକ ଝଡ଼ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ର ରାଜଭବନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ କଣ ବିଜେପି ରାଜ୍ୟରେ ସରକାର ଗଠନ ପାଇଁ ଇଚ୍ଛା ଏବଂ କ୍ଷମତା ରଖୁଛି କି ? ଏପର୍ଯ୍ୟନ୍ତ ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳ ଦାବି କରୁନଥିବା ବେଳେ ରାଜ୍ୟପାଳ ସରକାର ଗଠନର ସମ୍ଭାବନା ଖୋଜିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୦୫ଟି ଆସନ ଜିତିଛି। ବିଜେପି ନିର୍ବାଚନରେ ସର୍ବାଧିକ ଆସନ ଜିତି ଏକକ ସଂଖ୍ଯା ଗରିଷ୍ଠତା ଦଳ ଭାବେ ଉଭା ହୋଇଥିଲା ।

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଅଢେଇ ବର୍ଷ ପାଇଁ ରଖିବାକୁ ବୁଝାମଣା ହୋଇଥିଲା ବୋଲି ଶିବସେନା କହିଛି। କିନ୍ତୁ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ଦେବେନ୍ଦ୍ର ଫଡନଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏନେଇ ଫଡ଼ନଭିସ ,ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହିତ ଫୋନରେ କଥାବାର୍ତ୍ତା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବା କହିଥିଲେ ।

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ । ତେଣୁ ବିଜେପି କିଭଳି ସରକାର ଗଢିବା ନେଇବାଟ ବାହାର କରିବ ତା ଉପରେ ନଜର ରହିଛି । ବିଜେପି କାହା ସମର୍ଥନରେ ଏବଂ କେଉଁଠୁ ସରକାର ଗଠନ ପାଇଁ ସଂଖ୍ୟା ଯୋଗାଡ଼ କରିବ ତାହାକୁ ମଧ୍ୟ ସସ୍ପେନ୍ସ ଜାରି ରହିଛି ।

ସେପଟେ ରାଜ୍ୟପାଳଙ୍କ ପକ୍ଷରୁ ସରକାର ଗଢିବାକୁ ନିମନ୍ତ୍ରଣ ମିଳିବା ପରେ ଆଜି ମହାରାଷ୍ଟ୍ର ବିଜେପି ପକ୍ଷରୁ କୌର କମିଟି ବୈଠକ ଡକାଯାଇଛି । ଏହି ବୈଠକରେ ଆଗାମୀ ସରକାର ଗଢିବା ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି ।