Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆଜି ବିଜେଡି ଫାଇନାଲ୍ କରିବ ୪ ଲୋକସଭା ଓ ୨୮ବିଧାନସଭା ପାଇଁ ପ୍ରାର୍ଥି ତାଲିକା, ଅସନ୍ତୁଷ୍ଟଙ୍କ ପାଇଁ ବିଧାନ ପରିଷଦ ଲଲିପପ୍

13/03/2019 at 10:49 AM

ଭୁବନେଶ୍ବର ୧୩|୩ : ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ନବୀନ ନିବାସରେ ଚୂଡାନ୍ତ ହେବ ପ୍ରାର୍ଥି ତାଲିକା । ସେଥିପାଇଁ ଏହି ୪ଟି ଲୋକସଭା ଆସନର ପର୍ଯ୍ୟାବେକ୍ଷକମାନଙ୍କୁ ନବୀନ ନିବାସକୁ ଡକରା ପଡିଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଏହି ୪ଟି ଲୋକସଭା ଆସନ ହେଲା ବ୍ରହ୍ମପୁର, କୋରାପୁଟ ନବରଙ୍ଗରପୁର ଏବଂ କଳାହାଣ୍ଡି ।

ସେହିଭଳି ଏହି ୪ଟି ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ହେଲା- ବ୍ରହ୍ମପୁର ଲୋକସଭା ଆସନର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ମୋହନା, ଚିକିଟି ଏବଂ ପାରଳାଖେମୁଣ୍ଡି । ନବରଙ୍ଗପୁର ଲୋକସଭା ଆସନର ନବରଙ୍ଗପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା । କଳାହାଣ୍ଡି ଲୋକସଭା ଆସନର ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା ଓ ନର୍ଲା । ସେହିଭଳି କୋରାପୁଟ ଲୋକସଭା ଆସନର କୋରାପୁଟ, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଓ ପଟାଙ୍ଗି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥି ତାଲିକା ପ୍ରସ୍ତୁତ ହେବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକସଭା ପାଇଁ ୩୩ପ୍ରତିଶତ ମହିଳା ପ୍ରାର୍ଥି ଦିଆଯିବ ବୋଲି ଘୋଷଣା କରିଥିବାରୁ ଏହି ୪ଲୋକସଭା ଆସନ ଭିତରୁ ଅନ୍ୟୁନ ଗୋଟିଏ ବା ଦୁଇଟି ଆସନରେ ମହିଳାଙ୍କୁ ପ୍ରାର୍ଥି କରିବେ । ଏହି ୪ଟି ଆସନ ମଧ୍ୟରୁ ବର୍ତ୍ତମାନ କୌଣସି ଆସନରେ ମଧ୍ୟ ମହିଳା ସାଂସଦ ନାହାନ୍ତି । ତେବେ ବ୍ରହ୍ମପୁର ଏବଂ କୋରାପୁଟ ଆସନରେ ଏଥର ଜଣେ ମହିଳାଙ୍କୁ ପ୍ରାର୍ଥି କରିବା ପାଇଁ ଦଳ ନିଷ୍ପତ୍ତି ନେଇଥିବା ଭିତିରିଆ ସୂତ୍ରରୁ ଜଣାପଡିଛି ।

ଯଦି ବ୍ରହ୍ମପୁର ଆସନରୁ କୌଣସି ମହିଳା ପ୍ରାର୍ଥିଙ୍କୁ ଟିକଟ ଦିଆଯାଏ ତାହେଲେ ବ୍ରହ୍ମପୁର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ନିରାଶ ହେବାକୁ ପଡିବ । ସେହିଭଳି କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ନିରାଶ ହେବାକୁ ପଡିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଦଳ ପାଇଁ ବ୍ରହ୍ମପୁରରୁ କିଏ ମହିଳା ପ୍ରାର୍ଥି ହେବ । ଚିକିଟି ବିଧାୟିକା ତଥା ମନ୍ତ୍ରୀ ଉଷା ଦେବୀଙ୍କୁ ଲୋକସଭା ପାଇଁ ପ୍ରାର୍ଥି କରିବା ଲାଗି ଚିନ୍ତା କରାଯାଉଥିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ସେହିଭଳି କୋରାପୁଟ ଆସନରେ କାହାକୁ ପ୍ରାର୍ଥି କରାଯିବ ତାକୁ ନେଇ ମଧ୍ୟ ଦଳ ଭିତରେ ଦ୍ବନ୍ଦ୍ବ ଲାଗିରହିଛି । କୋରାପୁଟ ସାଂସଦ ଝିନ୍ନ ହିକ୍କକାଙ୍କୁ ପରିବର୍ତ୍ତନ କରି ସେଠାରେ ମଧ୍ୟ ଜଣେ ମହିଳାଙ୍କୁ ପ୍ରାର୍ଥି କରିବା ଲାଗି ଦଳ ଯଦିଓ ଚିନ୍ତା କରୁଛି ତେବେ ଦଳ ପାଇଁ ଉପଯୁକ୍ତ ମହିଳା ପ୍ରାର୍ଥି ମିଳୁନଥିବା ମୁଣ୍ଡବ୍ୟଥାର କାରଣ ହୋଇଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ କୋରାପୁଟ ଆସନ ପାଇଁ ଦଳ କାହାକୁ ପ୍ରାର୍ଥି କରିବ ତାକୁ ନେଇ ଆଜି ମାନସମନ୍ଥନ ହେବ ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝିଙ୍କୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଦଳ ଏଥର ଚିନ୍ତା କରୁଛି । କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂହଦେଓ ମଧ୍ୟ ଏଥର ପରିବର୍ତ୍ତନ ହୋଇପାରନ୍ତି । ଅନ୍ୟପକ୍ଷରେ ୨୮ଟି ଯାକ ବିଧାନସଭା ଆସନରେ ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଢେର ଅଧିକ ରହିଛି । ତେଣୁ ଜଣଙ୍କୁ ଟିକଟ ମିଳିବା ପରେ ଅନ୍ୟମାନେ ଅସନ୍ତୁଷ୍ଟ ହୋଇ ଅନ୍ୟ ଦଳକୁ ଯାଇପାରନ୍ତି ବା ଦଳ ବିରୋଧୀ କାର୍ଯ୍ୟ କରିପାରନ୍ତି ବୋଲି ଆଶଙ୍କା ରହିଛି । ଅସନ୍ତୁଷ୍ଟମାନଙ୍କୁ କିଭଳି ନିୟନ୍ତ୍ରଣ କରାଯିବ ତାକୁ ନେଇ ଦଳ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିବା ଖବର ମିଳିଛି । ନିର୍ବାଚନ ପରେ ଅସନ୍ତୁଷ୍ଟମାନଙ୍କୁ ବିଭିନ୍ନ ନିଗମ ଓ ରାଜ୍ୟସଭା ଲଲିପପ୍ ଦେଖାଇବାକୁ ଯୋଜନା କରାଯାଇଛି । କେବଳ ସେତିକି ନୁହେଁ ପ୍ରସ୍ତାବିତ ବିଧାନ ପରିଷଦ (ଏମଏଲସି) ସଦସ୍ୟ କରାଯିବ ବୋଲି ମଧ୍ୟ ପ୍ରଲୋଭନ ଦେଖାଇ ସନ୍ତୁଷ୍ଟ କରିବାକୁ ଯୋଜନା କରାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୮ତାରିଖରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏପ୍ରିଲ ୧୧ତାରିଖରେ ଭୋଟିଂ ହେବ । ତେଣୁ ଏହିସବୁ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଉସ୍ମତା ଓ ପ୍ରଚାର ଜୋର ଧରିଥିବାବେଳେ ଅପେକ୍ଷା ରହିଛି ପ୍ରାର୍ଥି ତାଲିକାକୁ ।

   Related Posts