ଆଜି ଭାରତ ବନ୍ଦ : ଜିଏସଟିର ନୂଆ ନିୟମକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ୪୦ ହଜାର ବ୍ୟବସାୟୀ ସଙ୍ଘ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ, ୨୬/୦୨: ଶୁକ୍ରବାର ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟିର ବିଭିନ୍ନ ସଂଶୋଧିତ ନିୟମକୁ ବିରୋଧ କରି ବ୍ୟବସାୟୀମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ପାଳନକୁ ୪୦,୦୦୦ ବ୍ୟବସାୟୀ ସଂଘ ସମର୍ଥନ କରୁଛନ୍ତି । ଏହାସହ ୮ କୋଟିରୁ ଅଧିକ ବ୍ୟବସାୟୀ ବନ୍ଦକୁ ସମର୍ଥନ କରିବେ ବୋଲି ସିଏଆଇଟି ପକ୍ଷରୁ କୁହାଯାଇଛି ।

ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛି । ଏହାର ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଶାନ୍ତିର ସହ ରାଜ୍ୟରେ ବନ୍ଦ ପାଳନ କରାଯିବ । କୌଣସି ପ୍ରକାର ପିକେଟିଂ ହେବନାହିଁ । ଦାବିଗୁଡ଼ିକ ଯୁକ୍ତିଯୁକ୍ତ । ଭାରତୀୟ ସମ୍ବିଧାନକୁ ସମ୍ମାନ ଦେଇ ଆମେ ଏସବୁ ଦାବି ରଖିଛୁ । ରାଜ୍ୟର ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦରେ ସାମିଲ ହେବେ । ତେବେ ୨୪ ଘଣ୍ଟିଆ ବନ୍ଦ ଯୋଗୁ ରାଜ୍ୟରେ ୩,୦୦୦ରୁ ୪,୦୦୦ କୋଟି ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇପାରେ । ସରକାର ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇପାରନ୍ତି । ଯେଉଁସବୁ ଦାବି ରଖାଯାଇଛି ତାହା ଆମର ମୌଳିକ ଅଧିକାର ବୋଲି ସଙ୍ଘ କହିଛି ।

ସେହିପରି ସର୍ବଭାରତୀୟ ମୋଟର ପରିବହନ କଲ୍ୟାଣ ସଂଘ ମଧ୍ୟ ବନ୍ଦକୁ ସମର୍ଥନ କରୁଛନ୍ତି । ଏହା ଅଧୀନରେ ଥିବା ଟ୍ରକଗୁଡ଼ିକ ରାସ୍ତାକୁ ଓହ୍ଲାଇବେ ନାହିଁ । ଅତ୍ୟାବଶ୍ୟକ ସେବା ଯେପରି କି ଔଷଧ ଏବଂ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । କାହାକୁ ବନ୍ଦରେ ସାମିଲ ହେବା ପାଇଁ ବାଧ୍ୟ କରାଯାଉ ନାହିଁ । ଏହା ସତ୍ତ୍ୱେ ନିଜ ଆଡ଼ୁ ଏଥିରେ ଯୋଗଦେବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗାଡ଼ିମୋଟର ଚଳାଚଳ ସ୍ୱାଭାବିକ ରହିବ। କୌଣସି ସ୍ଥାନରେ ଗାଡ଼ି ରୋକାଯିବ ନାହିଁ ବୋଲି ସୁଧାକର କହିଛନ୍ତି ।

ସକାଳ ୬ଟାରୁ ରାତି ୮ଟା ଯାଏଁ ସମସ୍ତ ପରିବହନ ସେବା ବନ୍ଦ ରହିବ । ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧିକୁ ମଧ୍ୟ କିଛି ସଙ୍ଗଠନ ବିରୋଧ କରି ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.