ଭୁବନେଶ୍ୱର ୭/୧୧ : ଆଜି କାର୍ତ୍ତିକ ମାସ ଅମାବାସ୍ୟା | ଦୀପାବଳି ଆଜି ସ୍ଵାତି ନକ୍ଷତ୍ର ପ୍ରଦୋଷରୁ ବ୍ୟାପ୍ତ ହୋଇଛନ୍ତି | ଆଜି ଦିନରେ ପୂଜାର୍ଚ୍ଚନା ବିଶେଷ ଫଳପ୍ରଦ | ରାତି ୮.୧୬ ମିନିଟ ପର୍ଯ୍ୟନ୍ତ ସ୍ଵାତି ନକ୍ଷତ୍ର ରହୁଛନ୍ତି | ରାତି ୯ଟା ୨୦ ମିନିଟରୁ କାର୍ତ୍ତିକ ମାସ ଶୁକ୍ଲପକ୍ଷର ଶୁଭାରମ୍ଭ ହୋଇଛି | ଦୀପାବଳି ଯେହେତୁ ଅମାବାସ୍ୟା ତିଥିର ପର୍ବ ତେଣୁ ରାତି ୯ଟା ୧୯ ପୂର୍ବରୁ ଦୀପାବଳି ପୂଜା ସମାପ୍ତ କରିବା ବିଧି ସମ୍ମତ |
ଗତକାଲି ରାତି ୧୦ଟା ୭ ମିନିଟରୁ ଅମାବାସ୍ୟା ତିଥି ଆରମ୍ଭ ହୋଇ ଆଜି ରାତି ୯ଟା ୨୦ମିନିଟ ପର୍ଯ୍ୟନ୍ତ ରହିବ | ଏହି ସମୟ ମଧ୍ୟରେ ମା ଲକ୍ଷ୍ମୀଙ୍କ ଆରାଧନା କଲେ ଯଶ, କୀର୍ତ୍ତି ଓ ପୌରୁଷ ପ୍ରାପ୍ତି ସାଙ୍ଗକୁ ଧନଧାନ୍ୟ ଲାଭ ହେବ ବୋଲି ବିଶ୍ୱାସ ରହିଛି | ଏହି ସମୟରେ ମଧ୍ୟ ଯେକୌଣସି ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇପାରେ |
ଆଜି ସନ୍ଧ୍ୟା ସମୟରେ ଦେବା ମନ୍ଦିରରେ ଦୀପ ଦାନ କଲେ ସର୍ବ ପାପ ବିମୋଚନ ହୋଇଥାଏ | ବିଭୁ କୃପା ବର୍ଷା ହୋଇଥାଏ | ଆଜି ମୁଖ୍ୟତଃ ଶ୍ରୀ ସ୍ତୋତ୍ରମ, କନକଧାରା ସ୍ତୋତ୍ରମ, ଲକ୍ଷ୍ମୀ ଚାଳିଶା ଏବଂ ଲକ୍ଷ୍ମୀ ମନ୍ତ୍ର ଜପ କଲେ ସୁଫଳ ପ୍ରାପ୍ତି ହୋଇଥାଏ |
ଦୀପାବଳିର ପୂଜା ପାଇଁ ପ୍ରକୃଷ୍ଟ ସମୟ ପ୍ରଦୋଷକାଳ ହୋଇଥାଏ | ଏହି ସମୟରେ ସ୍ଥିର ଲଗ୍ନ ରହିଥାଏ ବୋଲି କୁହାଯାଏ | ଆଜି ସନ୍ଧ୍ୟା ୬ଟା ୩ମିନିଟରୁ ସ୍ଥିର ଲଗ୍ନ ବୃଷଭ ରାତି ୮ଟା ପର୍ଯ୍ୟନ୍ତ ରହିବେ |