ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ବିଧାନସଭା ନିର୍ବାଚନ ନେଇ ହୋଇପାରେ ଆଲୋଚନା

Published By : Prameya-News7 Bureau | June 24, 2021 IST

ଶ୍ରୀନଗର, ୨୪୦୬ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଏବେ ଦୂର ହେବ । ଏନେଇ ଆଶା ସଞ୍ଚାର ହୋଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜମ୍ମୁ କାଶ୍ମୀରରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହ ବୈଠକ ଅନୁଷ୍ଠିତ ହେବ। ମିଳିଥିବା ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରର ସମସ୍ତ ନେତାମାନଙ୍କୁ ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା ।

ବୈଠକକୁ ପ୍ରାୟ ୧୪ ଜଣ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଅନେକ ଦଳର ପ୍ରମୁଖ ନେତା ସାମିଲ ଅଛନ୍ତି । ବୈଠକରେ ଅମିତ ଶାହ, ରାଜନାଥ ସିଂ ଓ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ରହିବେ । ଅଜିତ ଡୋଭାଲ ମଧ୍ୟ ବୈଠକରେ ସାମିଲ ହେବା ନେଇ ସମ୍ଭାବନା ରହିଛି । ଏହା ବ୍ୟତୀତ ପିଏମଓର କିଛି ଅଧିକାରୀ ମଧ୍ୟ ଉପସ୍ଥିତ ରହିପାରନ୍ତି ।

ରିପୋର୍ଟ ଅନୁସାରେ, ୨୦୧୮ରେ ବିଜେପି-ପିଡିପି ସରକାର ଭାଙ୍ଗିବା ପରେ ଜମ୍ମୁ-କାଶ୍ମୀରରେ ନୂଆ ସରକାର ଗଠନ ହୋଇନାହିଁ । କେନ୍ଦ୍ର ଶାସିତ ପ୍ରଦେଶର ବିଧାନସଭା ନିର୍ବାଚନ ନେଇ ବୈଠକରେ ଆଲୋଚନା ହୋଇପାରେ । ଏଠାରେ ୨୦୧୯ରେ ଲୋକସଭା ନିର୍ବାଚନ ଓ ୨୦୨୦ରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହିପରି ନୂଆ ବିଧାନସଭା କ୍ଷେତ୍ର ଗଠନ ନେଇ ମଧ୍ୟ ଆଲୋଚନା ହୋଇପାରେ ।

ସୂଚନାଯୋଗ୍ୟ, ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇଥିଲେ କେନ୍ଦ୍ର ସରକାର । ଏହା ସହିତ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା ଭାବେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଏବଂ ବରିଷ୍ଠ ନେତା ଫାରୁକ ଅବଦୁଲ୍ଲା ଏବଂ ଉମର ଅବଦୁଲ୍ଲାଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ମାସ ମାସ ଧରି ଗୃହ ବନ୍ଦୀ କରି ରଖାଯାଇଥିଲା । ସେବେଠାରୁ ସେଠାରେ ରାଜନୈତିକ ଅସ୍ଥିରତା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.