ଆଜି ଅଧରପଣା : ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଭଙ୍ଗା ଯିବ ଅଧରହାଣ୍ଡି

Published By : Prameya-News7 Bureau | July 14, 2019 IST

ପୁରୀ ୧୪/୭: ସୁନାବେଶ ଶେଷ ପରେ  ଆଜି ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ।  ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଆଜି ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ।

ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ନୀତି ନିର୍ଘଣ୍ଟ ମୁତାବକ, ଆଜି ସକାଳେ ପ୍ରଥମେ ମଙ୍ଗଳଆଳତି ଓ ମଇଲମ ପରେ ୮ଟା ରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟା୩୦ ମଧ୍ୟରେ ଗୋପାଳବଲ୍ଲଭ, ୧୧ଟା୩୦ରୁ ୧୨ଟା୩୦ ସକାଳଧୂପ, ମଧ୍ୟାହ୍ନ ଗୋଟାଏ ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ମଧ୍ୟାହ୍ନ ୨ଟା ସୁଦ୍ଧା ବେଶ ଶେଷ ହେବ। ଅପରାହ୍ନ ୩ଟା୩୦ରୁ ୪ଟା୩୦ ମଧ୍ୟାହ୍ନ ଧୂପ ହୋଇ ରାତି ୮ଟା ସୁଦ୍ଧା  ତିନି ରଥରେ ଅଧରାପଣା ନୀତି ଶେଷ  ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.