ଆଜି ସନ୍ଧ୍ୟା ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ: କ’ଣ କହିବେ, ଆଶା ଆଶଙ୍କାରେ ଅନେକ ପ୍ରସଙ୍ଗ ଏବଂ ଅନେକ ଉତ୍କଣ୍ଠା
6/07/2020 at 6:43 PM

ଭୁବେନଶ୍ଵର ୦୬।୦୭: ଦେଶ ସହିତ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। ଲକ୍ଡାଉନ୍ ପରେ ଅନଲକ୍ ଏବଂ ରାଜ୍ୟର ଅନେକ ସହର ଓ ଜିଲ୍ଲାଗୁଡିକରେ ସପ୍ତାହାନ୍ତ ସଟ୍ଡାଉନ୍ ପରେ ମଧ୍ୟ କରୋନା ବନ୍ଧବାଡ ମାନୁନାହିଁ। ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବି ନେଉଛନ୍ତି। ଏହି କ୍ରମରେ ଆଜି ରାତି ୮ଟାରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ନିଜର ସମ୍ଵୋଧନରେ କଣ କହିବେ ତାହା ସ୍ପଷ୍ଟ ହୋଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ଵୋଧନକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ କଳ୍ପନା ଜଳ୍ପନା ବଢିବାରେ ଲାଗିଛି। କଣ କରୋନା ପ୍ରତିରୋଧ ଲାଗି ଆଉ କିଛି କଠୋର ପଦକ୍ଷେପ ଘୋଷଣା କରିବେ ନା ଆଉ କେଉଁ ପ୍ରସଙ୍ଗରେ କଥା ହେବେ ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି।
ଉଲ୍ଲେଖଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ୪୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି । ଏଥିମଧ୍ୟରୁ ୩୨୫୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହି ପରି ଗତ ୨୪ ଘଣ୍ଟାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ରାଜ୍ୟରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ନୂତନ ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟର କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ସପ୍ତାହାନ୍ତ ଦୁଇ ଦିନିଆ ସଟ୍ଡାଉନ୍ ଘୋଷଣା ହୋଇଥିଲା। ଏହା ପରେ ଏଥିରେ ଅନେକ ଜିଲ୍ଲା ଯୋଡି ହୋଇଗଲେଣି। କଟକରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା ହୋଇଛି। ରାଜ୍ୟରେ ସପ୍ତାହର ଶେଷ ଦୁଇ ଦିନ ସଟ୍ଡାଉନ୍ ଘୋଷଣା କରିବା ଜିଲ୍ଲାସଂଖ୍ୟା ବଢିବାରେ ଲାଗିଛି।