ପୁରୀ ୨୯।୭: ପାନ ଅଭ୍ୟାସ ଥିଲେ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା କଥା ଭୁଲି ଯାଆନ୍ତୁ। ଯଦି ବି ପାଟି ସଫା କରି ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିଛନ୍ତି, ତେବେ ଭିତରେ ପୂଜା ଓ ପ୍ରସାଦ ସେବନ କରି ସିଂହଦ୍ୱାରକୁ ଫେରିବା ପର୍ଯ୍ୟନ୍ତ ପାନ କଥା ଭୁଲି ଯାଆନ୍ତୁ। ଅଗଷ୍ଟ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ ନିଷେଧ ହେବ। ସୋମବାର ଅନୁଷ୍ଠିତ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉଭୟ ସେବାୟତ ଓ ଭକ୍ତଙ୍କ ନିମନ୍ତେ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ନିୟମ ଭଙ୍ଗ କଲେ ୫ଶହ ଟଙ୍କା ଜରିମାନା ଗଣିବାକୁ ପଡିବ।
{"id":138755}ଗତ ରଥଯାତ୍ରା ବେଳେ ଦେଖା ଦେଇଥିବା ବିଶୃଙ୍ଖଳା ସମ୍ପର୍କରେ ଆଲୋଚନା ନିମନ୍ତେ ସୋମବାର ଏହି ବୈଠକ ଡକା ଯାଇଥିଲା। ଗଜପତି ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ନୀତି ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ, ଅର୍ଥାତ ସ୍ନାନ ଯାତ୍ରାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ବ୍ୟବସ୍ଥାବଳି ନେଇ ଆଲୋଚନା ହୋଇଥିଲା। ଏଥିରେ ବିଶୃଙ୍ଖଳା ସୃଷ୍ଟି କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିବା ବେଳେ ୨୫ ଜଣ ସେବାୟତଙ୍କୁ ନୋଟିସ କରିବା ଲାଗି ନିଷ୍ପତ୍ତି ହୋଇଛି।
{"id":138756}ତେବେ ପାନ ଓ ଗୁଟଖା ଖାଇ ଶ୍ରୀମନ୍ଦିର ପରିସରରେ ସେବାୟତ ଓ ଭକ୍ତମାନେ ମନଇଛା ଏଣେତେଣେ ଛେପ ଖଙ୍କାର ପକାଇବା ପରିବେଶ ଓ ସ୍ୱଚ୍ଛତା କ୍ଷୁର୍ଣ୍ଣ କରୁଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସେବାୟତମାନେ ପାନ ଖାଉଥିବାରୁ ଭକ୍ତଙ୍କୁ ବାରଣ କିପରି କରାଯିବ ବୋଲି ଉପସ୍ଥିତ ସଦସ୍ୟମାନେ ଚିନ୍ତା ପ୍ରକଟ କରିଥିଲେ। ତେବେ ସେବାୟତ ନିଜେ ପାନ ନ ଖାଇଲେ ମନ୍ଦିରକୁ ପାନ ଖାଇ ଆସିଥିବା ଭକ୍ତଙ୍କୁ ବାରଣ କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା।
{"id":138757}ଏଣୁ ଅଗଷ୍ଟ ୧ ତାରିଖରୁ ମନ୍ଦିରର ବିଭିନ୍ନ ନୀତି କାନ୍ତି ସହ ଜଡିତ ସେବାୟତ ମନ୍ଦିର ଭିତରେ କି ପରିସରରେ ପାନ ଖାଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିରରେ ପାନ ନିଷେଧ ବୋଲି ବିଜ୍ଞପ୍ତି ଲଗା ଯିବା ସହ ଆଇନ ଭଙ୍ଗ କଲେ ଭକ୍ତ ଓ ସେବାୟତ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଛି। ଏହା ଛଡା ବୈଠକରେ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ ପକ୍ଷରୁ କରାଯାଉଥିବା ରକ୍ଷଣା ବେକ୍ଷଣା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ୟ ଯୋଗଦେଇଥିଲେ।