ଧର୍ମଘଟକୁ ସଫଳ କରିବା ନିମନ୍ତେ ପଥପ୍ରାନ୍ତ ସଭା, ଅଣ୍ଟା ଭିଡିଲେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି
25/11/2020 at 11:04 PM

ଦିଗପହଣ୍ଡି,୨୫|୧୧: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟକୁ ଦିଗପହଣ୍ଡି ଅଞ୍ଚଳରେ ସଫଳ କରିବା ନିମନ୍ତେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସହରର ପୁଞ୍ଜିକଁୟା ଛକ ସମେତ ପଦ୍ମନାଭପୁର, ବମୋକେଇ, ଗୌଡ ଗାଁ, ବିଜୟ ଲକ୍ଷ୍ମୀନାରାୟଣପୁର, ଚୌଧୁରୀ ଟିକରପଡ଼ା, ଭ୍ରମରପୁର, କରପଡା,ବି. ତୁରୁବୁଡି,ବାସୁଦେବପୁର, ଗୋକର୍ଣ୍ଣପୁର,ସିଦ୍ଧେଶ୍ଵର, ଗୌତମୀ ପ୍ରଭୃତି ଗ୍ରାମ ମାନଙ୍କରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।
ସିପିଆଇ ଗଞ୍ଜାମ ଜିଲା କମିଟି ସହ ସମ୍ପାଦକ ଅଳକ ନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ମାନଙ୍କରେ ସିପିଆଇ (ଏମ୍)ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ, ଦିଗପହଣ୍ଡି ଏନ୍ ଏ ସିର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ ପଣ୍ଡା, ପୂର୍ବତନ କାଉନସିଲର ଭଗବାନ ସ୍ବାଇଁ, ୱାଇ. ରବି କୁମାର ପ୍ରମୁଖ ଉପସ୍ଥିତ ଥିଲେ।
ରେଳ ବିଭାଗ,ବିମାନ ବନ୍ଦର,କୋଇଲା ଖଣି, ଦେଶର ୪୧ ଟି ଗୋଳା ବାରୁଦ କାରଖାନା, ଏୟାର ଇଣ୍ଡିଆ, ବି ଏସ ଏନ୍ ଏଲ, ସଡ଼କ ପରିବହନ ସାଙ୍ଗକୁ ଜଳ, ବାୟୁ, ନଦୀ, ଜଙ୍ଗଲ ସବୁ କିଛି ଘରୋଇକରଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ସ୍ଥିର କରି ସାରିଛନ୍ତି।
ଦେଶର ରାଷ୍ଟ୍ରାୟତ ଶିଳ୍ପ ଗୁଡ଼ିକର ସୁରକ୍ଷା, ଅର୍ଥନୈତିକ ସାର୍ବଭୌମତ୍ୱ, ଶ୍ରମିକ ମାନଙ୍କ ଅଧିକାରର ସୁରକ୍ଷା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ନିୟନ୍ତ୍ରଣ, କୃଷକ ମାନଙ୍କ ଜୀବନ ଜୀବିକାର ସୁରକ୍ଷା ସମେତ ଡାକ ବିଭାଗକୁ ଦେଶୀ ବିଦେଶୀ ପୁଞ୍ଜିପତି ହାତକୁ ଟେକିଦେବା ପାଇଁ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ବିରୋଧରେ ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ଡ଼ାକରା ଦିଆଯାଇଥିବା ଦିନିକିଆ ଧର୍ମଘଟକୁ ସଫଳ କରିବା ନିମନ୍ତେ ସଭା ମାନଙ୍କରେ ଲୋକଙ୍କୁ ନିବେଦନ କରାଯାଇଥିଲା।