ଜଗଦୀପ ଧନଖଡ଼ଙ୍କୁ ଫେରାଇ ନେବାକୁ ରାଷ୍ଟ୍ରପତିଙ୍କୁ ଟିଏମସିର ଚିଠି, ସାଂସଦ ଲେଖିଲେ- ‘ରାଜ୍ୟପାଳ ସମ୍ବିଧାନକୁ ସୁରକ୍ଷା ଦେଇପାରୁ ନାହାନ୍ତି, ସୁପ୍ରିମକୋର୍ଟଙ୍କୁ ମାନୁନାହାନ୍ତି’

Published By : Prameya-News7 Bureau | December 30, 2020 IST

କୋଲକାତା ୩୦/୧୨: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗିରିକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଆପତ୍ତି କରିଆସୁଛନ୍ତି । ଯାହାକୁ ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର ନାରାଜ ଅଛନ୍ତି। ଏବେ ରାଜ୍ୟରେ ଚାଲିଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ସମ୍ବିଧାନିକ ପଦ ଉପରକୁ ଆସିଥିବା ଦେଖିବାକୁ ମିଳିଛି। ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପଦରୁ ହଟାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟିଏମସି ଚିଠି ଲେଖିଥିବା ଜଣାପଡ଼ିଛି । ଟିଏମସି ସାଂସଦ ସୁଖେନ୍ଦୁ ଶେଖର ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କୁ ଫେରାଇ ନେବାକୁ ପତ୍ର ଲେଖିଛନ୍ତି ।

ସୁଖେନ୍ଦୁ ଶେଖର ଲେଖିଛନ୍ତି, ‘ ଆମେ କହିବାକୁ ଚାହୁଁଛୁ ଯେ, ରାଜ୍ୟପାଳ ସମ୍ବିଧାନର ସୁରକ୍ଷା, ସଂରକ୍ଷଣ କରିବାରେ ବିଫଳ ହୋଇଛନ୍ତି। ବାରମ୍ବାର ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଂଘନ କରୁଛନ୍ତି।’ ସୁଖେନ୍ଦୁ ଶେଖରଙ୍କ ସମେତ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ ଓବ୍ରାୟନ, କାକୋଳି ଘୋଷ ଓ କଲ୍ୟାଣ ବାନାର୍ଜୀ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ପତ୍ରରେ ଦସ୍ତଖତ କରିଛନ୍ତି।

ରାଜ୍ୟପାଳ ଧନଖଡ଼ ଓ ଟିଏମସି ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଛି। ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସାକୁ ନେଇ ରାଜ୍ୟପାଳ ଲଗାତର ଟାର୍ଗେଟ କରିଆସୁଛନ୍ତି। ବିଭିନ୍ନ ସମୟରେ ରାଜ୍ୟପାଳ ସରକାରଙ୍କୁ ଜବାବ ମଧ୍ୟ ମାଗିଛନ୍ତି। ନିକଟରେ ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ୍‌ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟପାଳ ଧନଖଡ଼ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଏହା ସହ ନିକଟରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ସବୁ ପ୍ରକାର ପଦକ୍ଷେପ ନେବେ ବୋଲି କହିଥିଲେ ରାଜ୍ୟପାଳ ଜଗଦୀପ ଧନଖଡ଼ । ସେ କହିଥିଲେ ‘ ମୁଁ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ କରିବାକୁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବି, ମୁଁ ରାଜ୍ୟପାଳ ଭାବେ ଏହା କହୁଛି।’ ଅନ୍ୟପଟେ ଟିଏମସିର ଏଭଳି ପଦକ୍ଷେପକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟ। ରାଜ୍ୟାପଳଙ୍କୁ ହଟାଇବା ପାଇଁ ଟିଏମସି ରାଷ୍ଟ୍ରପତିଙ୍କୁ ଲେଖିଥିବା ପତ୍ର କୌଣସି କାମରେ ଆସିନି ବୋଲି ମଧ୍ୟ ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.