କ୍ଷମତାକୁ ପୁଣି ଫେରିବ ଟିଏମସି, ୨୦୨୧ରେ ୫୨ % ଭୋଟ୍ ସହ ମମତାଙ୍କ ଟିମ୍ ପାଇବ ଅଧିକ ଆସନ : ଦଳ କରିଛି ଏମିତି ହିସାବକିତାବ୍

Published By : Prameya-News7 Bureau | January 04, 2021 IST

କୋଲକାତା, ୦୪/୦୧ :  ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିବ ତୃଣମୂଳ କଂଗ୍ରେସ ବା ଟିଏମସି । ପୁଣି ଚାଲିବ ଦିଦିଙ୍କ ଯାଦୁ । ବହୁମତ ପାଇ ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ । ଏପରି କିଛି ସୂଚନା ଦେଇଛି ଟିଏମସିର ଆଭ୍ୟନ୍ତରୀଣ ସର୍ଭେ । ୨୦୨୧ ବିଧାନସଭାରେ ଟିଏମସି ହିଁ ବିଜୟୀ ହେବ ବୋଲି କହୁଛି ଦଳୀୟ ସର୍ଭେ ।

ସର୍ଭେ ଅନୁସାରେ, ଦଳ ୫୨ ପ୍ରତିଶତ ବୋଟ୍ ପାଇବ । ୧୯୦ରୁ ୨୧୦ ଆସନରେ ଜିତିବ । ଯାହା ଗତଥର ଅନୁସାରେ ୧୬ ଅଧିକ । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୪୮ ହୋଇଥିବା ବେଳେ ଦଳ ଢେର୍ ଅଧିକ ସିଟ୍ ହାତେଇବ ।ଏଥିପାଇଁ ତିନୋଟି କାରଣ ରହିଛି । ଦଳର କହିବାନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇଥିଲେ । କିନ୍ତୁ ରାଜ୍ୟର ବିଜେପି ସଭାପତି ଦିଲୀପ ଘୋଷଙ୍କ ଦବଦବା ସେତେଟା ନାହିଁ । ତାଙ୍କର ଛବି ମଧ୍ୟ ମଳୀନ ପଡଛି ।

ଟିଏମସିର ଦଳୀୟ ସୂତ୍ରାନୁସାରେ, ଯେଉଁ ସବୁ ସ୍ଥାନରେ ସାଧାରଣ ନିର୍ବାଚନରେ ବିଜେପି ବେଶୀ ଭୋଟ୍ ପାଇଥିଲା ଏବେ ସେଠାରେ ମମତାଙ୍କ ଜାଦୁ ଚାଲୁଛି । ଟିଏମସି ଉତ୍ତର ପ୍ରାନ୍ତରେ ସବୁ ଆସନରେ ବାଜିମାତ୍ କରିଥିଲା । ଆଲିପୁରଦୁଆର ଓ ଦାର୍ଜିଲିଂରେ ବିଜେପି ୫ଟି ଲୋକସଭା ଆସନରେ ଜିତିଥିଲା । ଏବେ ସ୍ଥିତି ବଦଳିଛି ।୨୦୧୯ରେ ମମତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନଥିବାରୁ ପଶ୍ଚିମବଙ୍ଗବାସୀ ବିଜେପିକୁ ଭୋଟ୍ ଦେଇଥିଲେ । କିନ୍ତୁ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ସୁନିଶ୍ଚିତ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.