ଅମିତ ଶାହାଙ୍କୁ ଟାର୍ଗେଟ କଲେ ମମତା ବାନାର୍ଜୀ: କହିଲେ, କ୍ୟାରିୟରରେ ଏଭଳି ଗୃହ ମନ୍ତ୍ରୀ ଦେଖିନାହିଁ
26/11/2020 at 9:08 PM

କୋଲକାତା ୨୬/୧୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ବାହାର ଲୋକଙ୍କ ଦଳ ଏବଂ ରାଜ୍ୟରେ ତାଙ୍କର କୌଣସି ସ୍ଥାନ ନାହିଁ । ତୃରମୂଳ କଂଗ୍ରେସ ପ୍ରମୁଖ ଏହା ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗକୁ କେବେବି ‘ଦଙ୍ଗା ପ୍ରଭାବିତ ଗୁଜରାଟ’ ହେବାକୁ ଦେବି ନାହିଁ । ଦେଶର ସୀମାରେ ସ୍ଥିତି ଠିକ ନାହିଁ, ତଥାପି ଗୃହ ମନ୍ତ୍ରୀ ଅମିତ ଶାହା ନିର୍ବାଚନରେ କାହିଁକି ଏତେ ବ୍ୟସ୍ତ ରହୁଛନ୍ତି ବୋଲି ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି । ସେ ସିଧାସଳଖ ବିଜେପିକୁ ଟାର୍ଗେଟ କରିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । ମମତା କହିଛନ୍ତି ପୁରା କ୍ୟାରିୟର ମଧ୍ୟରେ ଏଭଳି ଗୃହ ମନ୍ତ୍ରୀ କେବେ ଦେଖିନାହାନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଯେଉଁମାନେ କେବଳ ନିର୍ବାଚନ ସମୟରେ ରାଜ୍ୟକୁ ଆସନ୍ତି, ରାଜ୍ୟର ଶୃଙ୍ଖଳା ବ୍ୟବସ୍ଥାକୁ ଭଙ୍ଗ କରିବାକୁ ଚାହାଁନ୍ତି ଏବଂ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ରାଜ୍ୟରେ ସ୍ବାଗତ କରାଯିବ ନାହିଁ । କିଛିଦିନ ତଳେ ବିଜେପି ରାଜ୍ୟକୁ ୫ଟି ସଂଗଠନାତ୍ମକ କ୍ଷେତ୍ରରେ ବିଭାଜିତ କରିଛି ଏବଂ କେନ୍ଦ୍ରୀୟ ନେତାମାନଙ୍କୁ ରାଜ୍ୟର ପ୍ରଭାରୀ କରିଛି । ମମତା କହିଛନ୍ତି ବିଜେପି କହୁଛି ଯେ ପଶ୍ଚିମବଙ୍ଗକୁ ଗୁଜରାଟରେ ବଦଳାଇଦେବୁ । ତେବେ କାହିଁକି ଆମର ବଙ୍ଗାଲକୁ ଗୁଜରାଟ ଭଳି ଦଙ୍ଗା ପ୍ରଭାବିତ ସ୍ଥାନରେ ବଦଳାଇବାକୁ ଚାହୁଁଛନ୍ତି, ଆମେ ଦଙ୍ଗା ଚାହୁଁନାହୁଁ କହି ଟାର୍ଗେଟ କରିଛନ୍ତି ଟିଏମସି ସୁପ୍ରିମୋ ।

ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ ନାଁ ନନେଇ ମମତା କହିଛନ୍ତି, ସେ ଅଭିଯୋଗ କରିଥିଲେ ଯେ, ବିଜେପି ଯେତେବେଳେ ବିରୋଧ କରୁଥିଲା ତାଙ୍କୁ ଜାଣିଶୁଣି ବଳପୂର୍ବକ ଭାବେ ପୋଲିସ ଗିରଫ କରିନେଇଥିଲା । କିନ୍ତୁ ତାଙ୍କ ବିରୋଧରେ ସେଭଳି କିଛି କରାଯାଇନଥିବା ଏପରିକି ତାଙ୍କୁ ଅଟକ ମଧ୍ୟ ରଖାଯାଇନଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।