ମୋଦିଙ୍କୁ ତୃଣମୂଳ ସାଂସଦଙ୍କ ଖୋଲା ଚାଲେଞ୍ଜ, କହିଲେ ‘ଯଦି କରି ଦେଖାଇବେ ଛାଡିବି ରାଜନୀତି,ସର୍ବସାଧାରଣରେ ଲଗେଇବି ଫାଶୀ’
24/01/2021 at 9:50 PM

କୋଲକାତା ୨୪।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଜ୍ୟରେ ତୃଣମୂଳ ଓ ବିଜେପି ମୁହାଁ ମୁହିଁ ହୋଇଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ ସାଂସଦ ଅଭିଷେକ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆ ଆହ୍ୱାନ ଦେଇଛନ୍ତି।
ମୋଦି ଯଦି ତାଙ୍କ ଚାଲେଞ୍ଜ ଗ୍ରହଣ କରନ୍ତି ସେ ପ୍ରଥମେ ରାଜନୀତି ଛାଡିବେ ବୋଲି କହିଛନ୍ତି। ସେହି ପରି ତାଙ୍କ ବିରୋଧରେ ବିଜେପିର ଅଭିଯୋଗ ଯଦି ପ୍ରମାଣିତ ହୁଏ ସର୍ବସାଧାରଣରେ ଗଳାରେ ଫାଶୀ ଲଗେଇବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାଜନୀତିରେ ବଂଶବାଦରୁ ମୋଦି ମଧ୍ୟ ଊର୍ଦ୍ଧ୍ୱରେ ନାହାନ୍ତି। ଯଦି ଦେଶରେ ସ୍ୱାମୀ, ସ୍ତ୍ରୀ, ବାପ, ପୁଅ, ଝିଅ,ପୁତୁରା ବଂଶାନୁକ୍ରମ ରାଜନୀତି ବିରୋଧରେ ମୋଦି ସ୍ପଷ୍ଟ ଆଇନ ଆଣିବେ ତେବେ ସେ ତୁରନ୍ତ ରାଜନୀତିରୁ ସନ୍ୟାସ ନେବା ଲାଗି ପ୍ରସ୍ତୁତ । ବିଜେପିରେ ଏପରି ନେତାଙ୍କ ଅଭାବନାହିଁ ଯେଉଁମାନେ ଉତ୍ତରାଧିକାର ସୂତ୍ରରେ ନା କେବଳ ରାଜନୀତି କରୁଛନ୍ତି ଉଚ୍ଚ ପଦପଦବୀକୁ ଜାବୁଡି ରଖିଥିବା ଅଭିଷେକ ଅଭିଯୋଗ କରିଛନ୍ତି।
ଏଣୁ ଅନ୍ୟ ରାଜନୈତିକ ଦଳରେ ରାଜନୀତି କରୁଥିବା ପରିବାର ସଦସ୍ୟଙ୍କୁ ଆକ୍ଷେପ କରିବା ପୂର୍ବରୁ ମୋଦି ପ୍ରଥମେ ନିଜ କମିଜ ତଳକୁ ଦେଖନ୍ତୁ ବୋଲି ଅଭିଷେକ କହିଛନ୍ତି। ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ରବିବାର କୁଲତାଲୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବିଶାଳ ଜନସଭାକୁ ସମ୍ଭୋଧିତ କରିଥିଲେ। ଏଥିରେ ମୋଦି ଉତ୍ତରାଧିକାରୀ ରାଜନୀତି ଛାଡ କୌଣସି ପରିବାରର ଯଦି ଜଣିଏ ସଦସ୍ୟ ରାଜନୀତି କରିପାରିବେ ବୋଲି ମୋଦି ସଂସଦରେ ଆଇନ ଗ୍ରୁହୀତ କରିଦିଅନ୍ତି ତେବେ ପରକ୍ଷଣରେ ସେ ରାଜନୀତି ଆଖଡାରୁ ନିଜକୁ ଦୂରେଇ ନେବେ ବୋଲି କହିଛନ୍ତି।
ବିଜେପି ଦଳ ହିଁ ପରିବାର ରାଜନୀତିର କେନ୍ଦ୍ର ବୋଲି କହିଛନ୍ତି ଅଭିଷେକ। କୈଲାଶ ବିଜୟ ବର୍ଗୀୟଙ୍କଠାରୁ ଆରମ୍ଭ କରି ଶୁଭେନ୍ଦୁ ଅଧିକାରୀଙ୍କ ପର୍ଯ୍ୟନ୍ତ, ମୁକୁଲ ରାୟଙ୍କ ଠାରୁ ଆରମ୍ଭ କରି ରାଜନାଥ ସିଂହଙ୍କ ପରିବାର ଓ ସମ୍ପର୍କୀୟମାନେ ଦଳର ସବୁ ବଡବଡ ପଦପଦବୀ ସମ୍ଭାଳି ବସିଛନ୍ତି। ଯଦି କୌଣସି ପରିବାରରୁ ଜଣେ ସଦସ୍ୟ ରାଜନୀତି କରିବାର ଆଇନ ଆଣିପାରିବେ ପରବର୍ତ୍ତି ମୁହୂର୍ତ୍ତରେ ବାନାର୍ଜୀ ପରିବାରରୁ କେବଳ ମମତା ବାନାର୍ଜୀଙ୍କୁ ଦେଶବାସୀ ରାଜନୀତିରେ ଦେଖିବେ ବୋଲି ସେ କହିଛନ୍ତି।
ସେହିପରି ବିଜେପି ନେତା ତାଙ୍କୁ ଲୁଟେରା କହୁଥିବା ଅଭିଷେକ କହିଛନ୍ତି। ଯଦି ବିଜେପି ନେତାମାନେ କରୁଥିବା ଅଭିଯୋଗ ସାବ୍ୟସ୍ତ କରିଦିଅନ୍ତି କୋର୍ଟ ପୂର୍ବରୁ ସେ ନିଜେ ସର୍ବସାଧାରଣରେ ଗଳାରେ ଫାଶୀ ଲଗାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସେହିପରି ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ବେଳେ ଭିକ୍ଟୋରିଆ ମେମୋରିଆଲ ହଲରେ ଘଟିଥିବା ଘଟଣା ସମ୍ପର୍କରେ ବି କହିଛନ୍ତି।
ନେତାଜୀଙ୍କ ଜୟନ୍ତୀରେ ଯେପରି ମମତା ଭାଷଣ ନ ଦିଅନ୍ତି ଖାସ ସେଥିଲାଗି ଜୟ ଶ୍ରୀରାମ ନାରାବାଜୀ କରାଯାଇଥିଲା ବୋଲି ଅଭିଷେକ କହିଛନ୍ତି। କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ସ୍ପଷ୍ଟ କରିଦେଇଥିଲେ ସରକାରୀ କାର୍ଯ୍ୟକ୍ରମରେ ଯଦି ନେତାଜୀଙ୍କ ଏପରି ଅପମାନ କରାଯାଏ ତେବେ ଆମେ ଏହାର ବିରୋଧ କରିବୁ। ବେଙ୍ଗଲ ଏହାର ବିରୋଧ କରିବାକୁ ଛିଡା ହେବ ବୋଲି ମମତା କହିବା ବାସ୍ତବିକ ଗର୍ବର କଥା ବୋଲି ସେ କହିଛନ୍ତି।
ଭାରତ ଏକ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର। ଏଠାରେ ସମ୍ବିଧାନ ନାଗରିକଙ୍କ ଲାଗି ସେମାନଙ୍କ ଧର୍ମ ପାଳନ ମୌଳିକ ଅଧିକାରରେ ସୁରକ୍ଷିତ, ତେବେ ସରକାର ସମ୍ଭିଧାନର ପାଳନ ଲାଗି ବାଧ୍ୟ। ହେଲେ ମୋଦି ଓ ତାଙ୍କ ଦଳ ଏହାର ବ୍ୟତିକ୍ରମ ବୋଲି ସେ କହିଛନ୍ତି। ନେତାଜୀଙ୍କ ଜୟନ୍ତୀ କୌଣସି ଧାର୍ମିକ କାର୍ଯ୍ୟକ୍ରମ ନଥିଲା। ଏହା ଜାଣି ମଧ୍ୟ ବିଜେପି କାର୍ଯ୍ୟକ୍ରମକୁ ନିର୍ବାଚନ ପ୍ରଚାର ମଞ୍ଚରେ ପରିଣତ କରିଥିଲା ବୋଲି ସେ କହିଛନ୍ତି।