ବଜେଟ୍ ଅଧିବେଶନରେ ଖାଲି ରହିବ ଅନେକ ଆସନ, ବିଧାନସଭା ନିର୍ବାଚନ ଯୋଗୁଁ କିଛି ଦଳର ସାଂସଦ ଆସି ନପାରନ୍ତି ପାର୍ଲିଆମେଣ୍ଟ୍
28/01/2021 at 12:31 PM

ନୂଆଦିଲ୍ଲୀ,୨୮/୦୧: ଆସନ୍ତା ଶୁକ୍ରବାରଠାରୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ତେବେ ଏହି ଅଧିବେଶନରେ ତୃଣମୂଳ କଂଗ୍ରେସ ଓ ଡିଏମକେ ଭଳି ବିରୋଧୀ ଦଳର ସଦସ୍ୟଙ୍କ ସଂଖ୍ୟା କମ୍ ରହିବ ବୋଲି ଅନୁମାନ କରାଯାଉଛି । କାରଣ ଉଭୟ ଦଳର ସାଂସଦ ନିଜ ନିଜ ରାଜ୍ୟରେ ଏପ୍ରିଲ ଓ ମେ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅଙ୍କ କଷିବେ ।
ଟିଏମସି ନେତା ଡେରେକ୍ ଓ ବ୍ରିଏନ୍ କହିଛନ୍ତି ଯେ, ଦଳର ସଦସ୍ୟମାନେ ବଜେଟ ଅଧିବେଶନରେ ଅଧିକ ସମୟ ଉପସ୍ଥିତ ରହିପାରିବେ ନାହିଁ । କାରଣ ସାଂସଦମାନେ ବିଧାନସଭା ନିର୍ବାଚନ ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ଦଳ ରାଜ୍ୟରେ ବିଜେପି ଓ କଂଗ୍ରେସ-ବାମ ଦଳ ସହ ଲଢେଇ କରିବ ।
ସଂସଦରେ ଟିଏମସିର କଂଗ୍ରେସ ପରେ ସବୁଠାରୁ ଅଧିକ ସାଂସଦ ଅଛନ୍ତି । ଦଳର ୩୪ଜଣ ସଦସ୍ୟ ସଂସଦକୁ ପ୍ରତିନିଧିତ୍ୱ କରୁଛନ୍ତି । ଗତ ମୌସୁମୀ ଅଧିବେଶନରେ ମଧ୍ୟ ଅନେକ ସାଂସଦ କରୋନା କରାଣରୁ ଭାଗ ନେଇନଥିଲେ ।
କେବଳ ପଶ୍ଚିମବଙ୍ଗରେ ନୁହେଁ ତାମିଲନାଡୁ, କେରଳ, ଆସାମ ଓ ପଣ୍ଡିଚେରୀରେ ମଧ୍ୟ ଆସନ୍ତା ଏପ୍ରିଲ-ମେ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାମଧ୍ୟରୁ କେବଳ ପଣ୍ଡିଚେରୀରେ କଂଗ୍ରେସର ସରକାର ଅଛି । ବିଜେପି ଆସାମରେ କ୍ଷମତାରେ ଥିବା ବେଳେ ପଶ୍ଚିମବଙ୍ଗ ହାତେଇବାକୁ ମଧ୍ୟ ଯୋଜନା କରୁଛି ।
ସେହିପରି ଡିଏମକେର ସାଂସଦମାନେ ମଧ୍ୟ ବିଧାନସଭା ନିର୍ବାଚନ କାରଣରୁ ବଜେଟ୍ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ । ଦଳ ତାମିଲନାଡୁରେ କଂଗ୍ରେସ ସହ ଆଉ କିଛି ଛୋଟ ଦଳ ସହ ମେଣ୍ଟ କରିଛି ।