ଭ୍ରଷ୍ଟାଚାରକୁ ବିରୋଧ ପଡିଲା ମହଙ୍ଗା : ବିଧାୟିକା ବୈଶାଳୀ ଡାଲମିଆଙ୍କୁ ଦଳରୁ ବିଦା କଲେ ମମତା ବାନାର୍ଜୀ

Published By : Prameya-News7 Bureau | January 22, 2021 IST

କୋଲକାତା ୨୨/୦୧ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଛକାପଞ୍ଝା ଜାରି ରହିଛି । ଏହାରି ମଧ୍ୟରେ ତୃଣମୂଳ କଂଗ୍ରେସ ନିଜ ଦଳର ଜଣେ ବିଧାୟିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟିକା ବୈଶାଳୀ ଡାଲମିଆଙ୍କୁ ଦଳରୁ ବହିଷ୍କାର କରିଛନ୍ତି ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ । ବୈଶାଳୀ ଡାଲମିଆ ହେଉଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଜଗମୋହନ ଡାଲମିଆଙ୍କ ଝିଅ ।

ବୈଶାଳୀ ଡାଲମିଆ ଗତ କିଛି ଦିନ ହେଲା ଲଗାତାର ଭାବେ ରାଜ୍ୟରେ ଚାଲୁଥିବା ଭ୍ରଷ୍ଟାଚାର ଏବଂ ଅନ୍ୟାନ୍ୟ ମୁଦ୍ଦାକୁ ନେଇ ନିଜ ଦଳକୁ ହିଁ ଟାର୍ଗେଟ୍‌ କରୁଥିଲେ । ପାର୍ଟି ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବଲ୍ଲୀ ଆସନରୁ ବିଧାୟିକା ଥିବା ବୈଶାଳୀ ଡାଲମିଆ କହିଛନ୍ତି ଯେ, ଦଳବଦଳ କରି ଆସୁଥିବା ନେତା ଦଳରେ ସୁରକ୍ଷିତ ରହୁଛନ୍ତି, ପାର୍ଟି ନେତୃତ୍ବକୁ କଟାକ୍ଷ କରୁଛନ୍ତି । କିନ୍ତୁ ଦଳ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସଚ୍ଚୋଟ ଏବଂ ନିର୍ଭିକ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି ।

ଦଳରୁ ବିଦା ହେବା ପରେ ସେ ସଫା ସଫା କହିଛନ୍ତି ଯେ, ବିଧାୟକ ପଦରୁ ଇସ୍ତଫା ଦେବେନାହିଁ କିମ୍ବା ବିଜେପିରେ ମଧ୍ୟ ସାମିଲ ହେବେ ନାହିଁ । କିଛି ଦିନ ପୂର୍ବରୁ ଦଳ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣି ଟାର୍ଗେଟ୍‌ରେ ଥିଲେ ବୈଶାଳୀ ଡାଲମିଆ । ସେ କହିଥିଲେ, ‘ଭ୍ରଷ୍ଟାଚାର କାରଣରୁ ଟିଏମସିର କ୍ଷତି ହେଉଛି । ନିଜ ମାଟିରେ ଭ୍ରଷ୍ଟାଚାର ଦଳକୁ ବ୍ୟାପକ ମାତ୍ରାରେ କ୍ଷତି ପହଞ୍ଚାଉଛି’। ବୈଶାଳୀ ଡାଲମିଆ କହିଥିଲେ ଯେ ତାଙ୍କ ବିଧାନସଭା କ୍ଷେତ୍ରରେ ଭ୍ରଷ୍ଟାଚାର ବୃଦ୍ଧି ପାଇଛି । ସେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏ ବିଷୟରେ ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ମମତାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତ୍ନ ଶୁକ୍ଳା ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦଳରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ବୈଶାଳୀ ଡାଲମିଆ କହିଥିଲେ ଯେ, ଲକ୍ଷ୍ମୀ ରତ୍ନ ମଧ୍ୟ ଭ୍ରଷ୍ଟାଚାର ଭଳି ସମସ୍ୟା କାରଣରୁ ଦଳରେ ରହି କାମ କରିପାରୁନଥିଲେ ଏବଂ ଶେଷରେ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.