ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଝଟ୍କା : ବିଧାୟକ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ
16/12/2020 at 5:23 PM

କୋଲକାତା ୧୬/୧୨ : ୨୦୨୧ ମସିହାରେ ହେବାକୁଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ବଡ ଝଟକା ଲାଗିଛି। ଟିଏମସି ବିଧାୟକ ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶୁଭେନ୍ଦୁ ଅଧିକାରୀ ବୁଧବାର ଦିନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଦେବାକୁ ବିଧାନସଭାରେ ପହଞ୍ଚିଥିଲେ କିନ୍ତୁ ବାଚସ୍ପତି ଉପସ୍ଥିତ ନ ଥିବାରୁ ସେ ସଚିବାଳୟରେ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସେ କିଛି ଦିନ ପୂର୍ବରୁ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରିବହନ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା। କିନ୍ତୁ ସେ ଏହି ଖବରକୁ ଖଣ୍ଡନ କରିଛନ୍ତି।
ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପରେ ବିଜେପି ଉପାଧ୍ୟକ୍ଷ ମୁକୁଲ ରାୟ କହିଛନ୍ତି ଯେ ଯେଉଁଦିନ ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ସେ କହିଥିଲେ ଯେ ଯଦି ସେ ଟିଏମସି ଛାଡି ବିଜେପିରେ ସାମିଲ ହୁଅନ୍ତି ତାହେଲେ ଦଳ ତାଙ୍କୁ ସ୍ୱାଗତ କରିବ। ସେ କହିଛନ୍ତି ଆଜି ସେ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସେ ତାଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି।
ଅଧିକାରୀ ଇସ୍ତଫା ଦେବାପରେ ବଙ୍ଗଳାର ବିଜେପି ପ୍ରମୁଖ ଦିଲୀପ ଘୋଷ କହିଛନ୍ତି ଯେ ନିୟମିତ ଟିଏମସି ନେତା ବିଜେପିରେ ସାମିଲ ହେଉଛନ୍ତି। ଟିଏମସି ରହିବ ଲାୟକ ଦଳ ନୁହେଁ, ଦଳରେ ଗଣତନ୍ତ୍ର ନାହିଁ। ସେଥିପାଇଁ ଅନେକ ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି।