ପୁଣି ମମତାଙ୍କୁ ଝଟକା : ବିଧାୟକ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

Published By : Prameya-News7 Bureau | January 29, 2021 IST

କୋଲକାତା ୨୯/୦୧ : ପଶ୍ଚିମବଙ୍ଗରେ ଚଳିତ ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସ୍ଥିତି ମଜବୁତ କରିବା ପାଇଁ ଚେଷ୍ଟା ଜାରି ରଖିଛି ଅନ୍ୟପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ପାଇଁ ନିଜର ଗଡ ବଞ୍ଚାଇବା ଚ୍ୟାଲେଞ୍ଜ୍ ହେବ । ତେବେ ନିର୍ବାଚନ ପୂର୍ବରୁ ଅନେକ ଟିଏମସି ନେତା ଦଳ ଛାଡୁଛନ୍ତି ।

ଏହାରି ମଧ୍ୟରେ ଉଭୟ ବିଧାୟକ ପଦ ଏବଂ ତୃଣମୂଳ କଂଗ୍ରେସର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ । ଏହା ପୂର୍ବରୁ ଜାନୁୟାରୀ ୨୨ ତାରିଖରେ ରାଜୀବ ବାନାର୍ଜୀ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମମତା ବାନାର୍ଜୀଙ୍କ କ୍ୟାବିନେଟ୍‌ରେ ଜଙ୍ଗଲ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିଲେ ରାଜୀବ ବାନାର୍ଜୀ ।

ସେପଟେ ବିଜେପି ହେଭି ଓ୍ବେଟ୍‌ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ରହିଛି । ଜାନୁୟାରୀ ୩୦ ଓ ୩୧ରେ ଶାହାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ରହିଛି । ତେବେ ଶାହାଙ୍କ ଏହି ଗସ୍ତ ସମୟରେ ରାଜୀବ ବାନାର୍ଜୀଙ୍କ ସମେତ ଟିଏମସି ଛାଡିଥିବା ବିଧାୟକ ଏବଂ ନେତା ବିଜେପିରେ ସାମିଲ ହୋଇପାରନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ନେତାମାନେ ଦଳ ଏବଂ ପଦରୁ ଇସ୍ତଫା ଦେବା ପ୍ରକ୍ରିୟା ଜାରି ରହିଛି ।  

ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ହେଭିଓ୍ବେଟ୍‌ ନେତା ଗେରୁଆ ଦଳରେ ସାମିଲ ହୋଇସାରିଛନ୍ତି । ଏହାରି ମଧ୍ୟରେ ଟିଏମସି ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ନିଜ ଦଳର ନେତାମାନଙ୍କୁ ଏକଜୁଟ୍‌ କରିବା । ସେପଟେ ରାଜ୍ୟରେ ସରକାର ଗଢିବା ପାଇଁ ବିଜେପି ପ୍ରାଣପଣେ ଉଦ୍ୟମ ଜାରି ରଖିଛି । ଅମିତ ଶାହାଙ୍କ ଭଳି ହେଭିଓ୍ବେଟ୍‌ ନେତାମାନଙ୍କ ଘନଘନ ବେଙ୍ଗଲ ଗସ୍ତ ଏହା ସୂଚାଉଛି ।

ଗତ ମାସରେ ବହୁସଂଖ୍ୟାରେ ଟିଏମସି ଏବଂ ଅନ୍ୟ ଦଳର ବିଧାୟକ ବିଜେପିରେ ସାମିଲ ହୋଇସାରିଛନ୍ତି । ତାପସୀ ମଣ୍ଡଳ, ସୁଦୀପ ମୁଖାର୍ଜୀ, ସୈକତ ପାଞ୍ଜା, ଅଶୋକ ଡିଣ୍ଡାଳ ଦୀପାଳୀ ବିଶ୍ବାସ, ଶୁକ୍ର ମୁଣ୍ଡା, ଶୀଳଭଦ୍ର ଦତ୍ତ, ସମ୍ପଦ ମୁଖାର୍ଜୀ, ବନଶ୍ରୀ ମାଇଟି ଏବଂ ବିଶ୍ବଜିତ୍‌ କୁଣ୍ଡୁ ଦଳ ଛାଡି ବିଜେପିରେ ସାମିଲ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.