ବେଙ୍ଗଲରେ ହିଂସାକୁ ନାହିଁ ଲଗାମ : ବିଭିନ୍ନ ସ୍ଥାନରେ ବିଜେପି-ଟିଏମସି ସମର୍ଥକ ମୁହାଁମୁହିଁ, ଅନେକ ଆହତ

Published By : Prameya-News7 Bureau | January 10, 2021 IST

କୋଲକାତା ୧୦/୦୧ : ପଶ୍ଚିମବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । କେବଳ ଏତିକି ନୁହେଁ ବେଙ୍ଗଲରେ ରାଜନୈତିକ ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ରବିବାର ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲ୍ଲାର ଅନେକ ସ୍ଥାନରେ ବିଜେପି ଏବଂ ଟିଏମସି ସମର୍ଥକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ କିଛି ଲୋକ ଆହତ ହୋଇଛନ୍ତି । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଟିଏମସିର ଗୁଣ୍ଡା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପ​‌ରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଏଭଳି ଆକ୍ରମଣ ଦ୍ବାରା ବିଜେପିର ଶକ୍ତି ଏବଂ ଲୋକପ୍ରିୟତା ରାଜ୍ୟରେ ବୃଦ୍ଧି ପାଇବ ।

ଗତ ମାସ​ରେ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ପୁରଲିୟାରେ ରୋଡ ସୋ କରୁଥିବା ବେଳେ କହିଛନ୍ତି, ଆମ ସମର୍ଥକମାନଙ୍କ ଉପରେ ହେଉଥିବା ପ୍ରତ୍ୟେକ ଆକ୍ରମଣ ପରେ ଦଳ ଅଧିକ ସକ୍ରିୟ ହେଉଛି । ଅନେକ କାର୍ଯ୍ୟକର୍ତ୍ତା ବିଜେପିକୁ ସମର୍ଥନ କରୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।

ସୂତ୍ରରୁ ପ୍ରକାଶ ଯେ ପୂର୍ବ ମେଦିନୀପୁର ଜିଲ୍ଲାର କାନ୍ତି ଅଞ୍ଚଳର ଭାଜାଚୋଲୀରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଆକ୍ରମଣରେ ଦଳର କିଛି କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ସ୍ଥାନୀୟ ବିଜେପି ନେତା କହିଛନ୍ତି । ଅନ୍ୟପଟେ ବିଜେପି ଶିବିରରେ ଅନ୍ତଃବିବାଦ ହେତୁ ଏହି ସଂଘର୍ଷ ଘଟିଥିବା ଟିଏମସି ଦାବି କହିଛି । ପୂର୍ବ ମେଦିନୀପୁର ଜିଲ୍ଲାର ମର୍ସିଦାରେ ମଧ୍ୟ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି । ପଶ୍ଚିମ ମେଦିନୀପୁରର କେଶପୁରରେ ଇଟା ପଥର ଓ ଠେଙ୍ଗାରେ ଦୁଇ ଦଳର କର୍ମୀ ପରସ୍ପର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.